ଗଜପତି ଜିଲ୍ଲାରେ ୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୯ କୁ ବୃଦ୍ଧି

FMODIA.IN 01-08-2020
108 new corona positives identified in Gajapati district: Total number of victims in the district increased to 1506

ପାରଳାଖେମୁଣ୍ଡି, ୧ ଅଗଷ୍ଟ - ଗଜପତି ଜିଲ୍ଲାରେ ଆଜି ଆଉ ୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୯ କୁ ବୃଦ୍ଧି ପାଇଛି ।

ଗତ ଜୁଲାଇ ୨୯ ଓ ୩୦ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ହୋମ୍ ଆଇସୋଲେସନକୁ ପଠାଇ ଦିଆଯାଇଛି ।

ନୂଆ ଚିହ୍ନଟ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଷ ୫୪ ଜଣ ଓ ମହିଳା ୫୪ ଜଣ ରହିଛନ୍ତି । ଏମାନଙ୍କର ବୟସ ୨ ବର୍ଷରୁ ୭୬ ବର୍ଷ ମଧ୍ୟରେ ରହିଛି । ତନ୍ମଧ୍ୟରେ ୧୨ ଜଣ ନାବାଳକ ଓ ନାବାଳିକା ରହିଛନ୍ତି ।

ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ସର୍ବାଧିକ ୬୮ ଜଣ, ରାୟଗଡ଼ ବ୍ଲକରୁ ୯ ଜଣ, ଗୁମ୍ମା ବ୍ଲକ୍ ରୁ ଜଣେ, ଗୋଷାଣି ବ୍ଲକରୁ ୧୦ ଜଣ, କାଶୀନଗର ବ୍ଲକରୁ ୨ ଜଣ, ନୂଆଗଡ଼ ବ୍ଲକରୁ ଜଣେ ଏବଂ ଆର୍ ଉଦୟଗିରି ବ୍ଲକରୁ ୧୭ ଜଣ ଆକ୍ରାନ୍ତ ରହିଛନ୍ତି ।

ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୯୧ ଜଣଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ସ୍ତରରେ ୧୪ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ଅନ୍ୟ ଜିଲ୍ଲା ହସ୍ପିଟାଲରେ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି ।

ସେହିପରି ପାରଳାଖେମୁଣ୍ଡିର ଜଣେ ପୁରୁଷ କରୋନାରେ ଆକ୍ରାନ୍ତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି ।