ମାଡି ଆସୁଛି ସାମୁଦ୍ରିକ ଝଡ ଅମ୍ଫାନ୍

FMODIA.IN 19-05-2020
Cyclone  AMFHAN

ପାରାଦ୍ୱୀପ ତା-୧୯/୦୫ : ଗୋଟିଏପଟେ କରୋନା ଆତଙ୍କ ସାଙ୍ଗକୁ ଅନ୍ଯପଟେ ସାମୁଦ୍ରିକ ଝଡ ଅମ୍ଫାନ୍ ମହାବାତ୍ଯାର ରୁପନେଇ ଅଧିକ ଭୟଭିତ କରିଛି | ଯାହା ଲୋକମାନଙ୍କ ମନରେ ଆତଙ୍କ ଶ୍ରୁଷ୍ଟି କରିଛି | ଏହାସହ ପ୍ରଶାସନର ମୁଣ୍ଡବ୍ଯଥାର କାରଣ ମଧ୍ଯ ପାଲଟିଛି |ତେବେ ପାରାଦୀପରେ ଏହାର ମୁକାବିଲା ପାଇଁ ପ୍ରଶାସନ ପୁରା ସଜାଗ ରହିଛି | ବାତ୍ଯା ଅମ୍ଫାନ୍ ପ୍ରଭାବରେ ମଙ୍ଗଳବାର ମଧ୍ଯାହ୍ନ ପ୍ରାୟ ୨ଟା ଠାରୁ ପାରାଦୀପରେ ତୁହାକୁ ତୁହା ବର୍ଷା ଓ ପବନ ଆରମ୍ଭ ହୋଇଥିଲା | ତାସାଙ୍ଗକୁ ସମୁଦ୍ର ଅଶାନ୍ତ ହୋଇ ବଡବଡ ଜୁଆର ଉଠୁଥିବାର ଦେଖାଯାଇଥିଲା | ସଂଧ୍ଯା ପ୍ରାୟ ୫ଟା ପରେ ବର୍ଷା ଓ ପବନର ବେଗ ବଢିବା ସହିତ ସମୁଦ୍ର ଜୁଆର ମଧ୍ଯ ବଢିଥିଲା | ତେବେ ସମ୍ଭାବ୍ଯ ବାତ୍ଯା ଅମ୍ପାନ୍ କୁନେଇ ଜିଲ୍ଲା ପ୍ରଶାସନ ଓ ପାରାଦୀପ ବନ୍ଦର କର୍ତ୍ରୁପକ୍ଷ ସଜାଗ ରହିଛନ୍ତି | ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦୀପ ଗ୍ରସ୍ଥକରି ବିଭିନ୍ନ ବସ୍ତିଅଂଚଳ ବୁଲି ସ୍ଥିତିର ସମିକ୍ଷା କରିଯାଇଥିଲେ | ପାରାଦୀପର ୧୯ଟି ସ୍ଥାନରେ ବାତ୍ଯା ଆଶ୍ରୟସ୍ଥଳ ଓ ବିଭିନ୍ନ ସ୍କୁଲ୍ କଲେଜ ଘର ଗୁଡିକ ଆଶ୍ରୟସ୍ଥଳ ଭାବେ ସଜାଗ ରଖାଯାଇଛି | ଦରକାର ହେଲେ ତଳିଆ ଅଂଚଳର ପ୍ରାୟ ୧୨ ହଜାର ଲୋକଙ୍କୁ ସାମାଜିକ ଦୁରତା ରକ୍ଷା କରାଯାଇ ଆଶ୍ରୟସ୍ଥଳ ମାନଙ୍କରେ ରଖାଯିବାର ବ୍ଯବସ୍ଥା କରାଯାଇଛି | ଅମ୍ପାନ୍ ର ମୁକାବିଲା ପାଇଁ ଏନ୍.ଡି.ଆର୍.ଏଫ୍. ଏବଂ ଓଡ୍ରାଫ୍ ଟିମ୍ ମଧ୍ଯ ସଜାଗ ରହିଛି | ଷଣ୍ଢକୁଦ , ନୁଆବଜାର , ବ୍ରୁନ୍ଦାବନ କଲୋନୀ , ମୁଣ୍ଡାପଡା ଓ ଜଗନ୍ନାଥ କଲୋନୀ ଭଳି ବିଭିନ୍ନ ବସ୍ତି ଅଂଚଳ ମାନଙ୍କରେ ଲୋକମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ସଚେତନ କରାଇଛନ୍ତି | ଏଥିସହ ମତ୍ସ୍ଯଜିବୀ ମାନଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାପାଇଁ ମଧ୍ଯ ବାରଣ କରିଛନ୍ତି | ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ ବିଭିନ୍ନ ସଂଗଠନ ଓ ଶିଳ୍ପସଂସ୍ଥା ସହ ଆଲୋଚନା କରିବାସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି | ପ୍ରଶାସନ ନିକଟରେ ବ୍ଯାପକ ପରିମାଣର ଖାଦ୍ଯ ଓ ଆବଶ୍ଯକିୟ ସାମଗ୍ରୀ ମହଜୁତ ରହିଛି | ବାତ୍ଯା ସମୟରେ ଓ ବାତ୍ଯା ପରବର୍ତ୍ତି ଅବସ୍ଥାରେ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯିବ ଓ ସେମାନଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇ ପାରିବ ସେ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଛନ୍ତି | ସେହିଭଳି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମଧ୍ଯ ବ୍ଯାପକ ବ୍ଯବସ୍ଥା କରାଯାଇଛି | ଗତ ୧୭ ତାରିଖ ସଂଧ୍ଯା ଠାରୁ ଜାହାଜ ଗୁଡିକୁ ପୋତାଶ୍ରୟ ଭିତରକୁ ଆସିବାକୁ ଦିଆଯାଇନାହିଁ | ସୋମବାର ମଧ୍ଯରାତ୍ରୀ ସୁଧା ଜାହାଜ ଗୁଡିକୁ ପୋତାଶ୍ରୟ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏଥିସହ ବନ୍ଦର ଭିତରକୁ ଟ୍ରକ୍ ଯୋଗେ ହେଉଥିବା ମାଲ୍ ପରିବହନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି | ବର୍ଷାପାଣି ନିଷ୍କାସନ ପାଇଁ ବନ୍ଦରାଞ୍ଚଳରେ ଥିବା ସମସ୍ତ ଡ୍ରେନ୍ ଗୁଡିକୁ ସଫା ରଖାଯାଇଛି | ବାତ୍ଯା ପରବର୍ତ୍ତୀ ସମୟରେ ରାସ୍ତାରେ ପଡି ରହିଥିବା ଗଛ ଗୁଡିକ କିଭଳି କଟାଯାଇ ରାସ୍ତା ସଫା କରାଯିବ ଓ ଲୋକମାନଙ୍କୁ ଶୁଖିଲାଖାଦ୍ଯ , ପିଇବାପାଣି ଏବଂ ଅନ୍ଯାନ୍ଯ ସୁବିଧା ଯୋଗାଇ ଦିଆଯିବ ସେସବୁର ବ୍ଯବସ୍ଥା କରାଯାଇଛି ବୋଲି ବନ୍ଦର ଅଧ୍ଯକ୍ଷ ଏକ ପ୍ରେସ୍ ବିବ୍ରୁତିରେ କହିଛନ୍ତି | ତେବେ ପାରାଦୀପ ସମୁଦ୍ରର ଅତି ନିକଟରେ ଥିବା ଷଣ୍ଢକୁଦ ବସ୍ତିବାସିନ୍ଦା ମାନେ ମଙ୍ଗଳବାର ସଂଧ୍ଯା ସମୟରେ ନିଜନିଜ ବ୍ଯବସ୍ଥାରେ ନିକଟରେ ଥିବା ବାତ୍ଯା ଆଶ୍ରୟସ୍ଥଳକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି |