BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ , ୧୯ରୁ ୨୧ ପ୍ରବଳ ବର୍ଷା ସମ୍ଭାବନା

FMODIA.IN 16-10-2020
Light to moderate torrential rains in the Bay of Bengal

ଭୁବନେଶ୍ୱର, ୧୬ ଅକ୍ଟୋବର - ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଆସନ୍ତା ୧୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ୨୪ ଘଂଟା ମଧ୍ୟରେ ସ୍ପଷ୍ଟ ଚିହ୍ନିତ ହେବା ସହ ଅଧିକ ଘନୀଭୂତ ହେବ । ଏବଂ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ।ଏହି ଲଘୁଚାପ ପ୍ରଭାବରେ ତମାମ ରାଜ୍ୟରେ ଆସନ୍ତା ୧୯ ତାରଖରୁ ୨୧ ତାରଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାରହିଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାରେ ବନ୍ୟା ଆଶଙ୍କା ରହିଥିବାରୁ ଦକ୍ଷିଣ ଡିଭିଜନ୍ ର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି । ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ସତର୍କ ରହିବାକୁ ଏସଆରସି କହିଛନ୍ତି ।

ପାଣିପାଗ କେନ୍ଦ୍ର୍ରର ସୂଚନା ଅନୁଯାୟୀ ୧୯ ଅକ୍ଟୋବରରେ ଦକ୍ଷିଣ ଓଡ଼ିଶା, ଉତର ଉପକୂଳ ଓଡ଼ିଶା ଏବଂ ଉତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅକ୍ଟୋବର ୨୦ ଓ ୨୧ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଅବଶିଷ୍ଟ ଜିଲ୍ଲା, ଉତର ଉପକୂଳ ଓଡିଶାର ଜିଲ୍ଲା ତଥା ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।