BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଶିମିଳିପାଳ ଅଭୟାରଣ୍ୟ : ମହାବଳ ବାଘ ଓ ଏହାର ଗଣନା

FMODIA.IN 09-02-2020
Tiger census in Similipal sanctuary held

ବାରିପଦା, ୯ ଫେବୃଆରୀ : ୮୬ଂ.୪ରୁ ୮୬ଂ.୩୭ ପୂର୍ବ ଦ୍ରାଘିମା ଓ ୨୧ଂ.୨୮ ରୁ ୨୨ଂ.୮ ଉତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ଆୟତନ ପୂର୍ବରୁ ୨୭୫୦ ବର୍ଗ କିଲୋମିଟର ହୋଇଥିବା ବେଳେ ବର୍ତମାନ ୨୨,୭୧୦.୭୮ ବର୍ଗ କିଲୋମିଟର ଏବଂ ଏହା ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚିତ । ପ୍ରତ୍ୟେକ ବର୍ଷ ଏଠାକୁ ବହୁ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ ବାଘ ଦେଖିବା ସହିତ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ନିମନ୍ତେ ଦେଶ ବିଦେଶରୁ ଛୁଟି ଆସିଥାନ୍ତି । ସମ୍ପ୍ରତି ଅଭୟାରଣ୍ୟ ମଧ୍ୟରେ ବାଘ ଦେଖିବା ଦୂରର କଥା ଗର୍ଜନ ଶୁଣିବାକୁ ମିଳୁ ନାହିଁ । ଦିନ ଥିଲା ସ୍ପଷ୍ଟ ଦିବା ଲୋକରେ ଶିମିଳିପାଳର ଘଂଚ ବନାନୀରେ ବାଘ ବାଘୁଣୀର କ୍ରୀଡ଼ା କରୁଥିବା ଦୃଶ୍ୟକୁ ଦେଖି ପର୍ଯ୍ୟଟକମାନେ ଆତ୍ମ ବିଭୋର ହୋଇ ପଡ଼ୁଥିଲେ । ହେଲେ ଏବେ ଶିମିଳିପାଳ ମଧ୍ୟରେ ରହିଥିବା ବାଘ ଓ ଏହାର ଗଣନାକୁ ନେଇ ଜାତୀୟ/ଅନ୍ତର୍ଜାତୀୟ ସ୍ତରରେ ଦେଖାଦେଇଛି ବିବାଦ । ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘମାନଙ୍କ ସଂଖ୍ୟା ପ୍ରକୃତରେ କେତେ ବାଘ ନିଜେ ଆସି ଉପସ୍ଥାନ ପକାଇବା ପରେ ଜଣାପଡ଼ିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।

ଜଙ୍ଗଲ ମଧ୍ୟରେ ବାଘ ନିଜ ନିଜର ସ୍ୱତନ୍ତ୍ର ଇଲାକା ବା ଟେରିଟୋରି ଚିହ୍ନଟ କରି ଆସ୍ଥାନ ଜମାଇଥାନ୍ତି । ୪୦ରୁ ଅଧିକ ବର୍ଗ କିଲୋମିଟର ଅକଳୁଷିତ ଅଂଚଳ ସୀମାରେ ରହିଥିବା ଛୋଟ ବୁଦା, ଗଛର ଗଣ୍ଡି ଆଦିରେ ମୂତ୍ର, ଆମ୍ପୁଡ଼ା ଦାଗ ସହିତ ଦେହର ଗନ୍ଧ ଛାଡ଼ି ସୀମା ନିର୍ଦ୍ଧାରଣ କରିଥାନ୍ତି । ଯଦି କୌଣସି ବାଘ ଅନ୍ୟର ସୀମା ମଧ୍ୟକୁ ପ୍ରବେଶ କଲା ତେବେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥାଏ ଘମାଘୋଟ ଲଢ଼େଇ । ଲଢ଼େଇରେ ଯିଏ ଜିତିଲା ଇଲାକା ତାର ଦଖଲରେ ରହିଲା । ବାଘ ଥରକରେ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ ମାଂସ ଭକ୍ଷଣ କରିପାରେ ଓ ଖାଇବା ପରେ ୨/୩ ଦିନ ପର୍ଯ୍ୟନ୍ତ ଶିକାର କରୁ ନ ଥିବାର ଦେଖାଯାଇଛି । ପୁଣି ଶିକାର ନ ମିଳିଲେ ୧ରୁ ୨ ସପ୍ତାହ ପର୍ଯ୍ୟନ୍ତ ଭୋକିଲା ରହିପାରେ । ଏକା ରହିବା ସହିତ ଏକା ଶିକାର କରିବାକୁ ପସନ୍ଦ କରିଥାଏ । କୁଟାରି, ଝିଙ୍କ, ହରିଣ ଓ ଜଙ୍ଗଲୀ ଘୁଷୁରୀ ବାଘର ପ୍ରିୟ ଖାଦ୍ୟ । ଭୋକିଲା ରହିଥିବା ଅବସ୍ଥାରେ ଯେ କୌଣସି ମାଂସ ଖାଇଥାଏ । ଲମ୍ବା ଘାସ ମଧ୍ୟରେ ଲୁଚି ଛପି ଶିକାର ଉପରେ ସମସ୍ତ ଇନ୍ଦ୍ରିୟକୁ ସଜାଗ ରଖିବା ସଂଗେ ସଂଗେ ବୁଦ୍ଧି ପ୍ରୟୋଗ କରି ଆକ୍ରମଣ କରେ । ଏହି ସମୟରେ ଶିକାର ଓ ନିଜ ମଧ୍ୟରେ ରହିଥିବା ଦୂରତ୍ୱକୁ ଆଖି ଦ୍ୱାରା ମାପି ଘଂଟାକୁ ପ୍ରାୟ ୮୦ କିଲୋମିଟର ବେଗରେ ଦୌଡ଼ି ଶିକାର ଉପରେ ଭିତରକୁ ପଶି ରହିଥିବା ନଖକୁ ବାହାରକୁ ଆଣି ପଞ୍ଝା ମାରେ । ରାତ୍ରି ସମୟରେ ଶିକାରର ସନ୍ଧାନରେ ବାହାରି ଥାଏ । ଘଂଚ ଜଙ୍ଗଲ ଓ ଦଲଦଲି ଇଲାକାରେ ରହିବାକୁ ପସନ୍ଦ କରିଥାଏ । ପାଣି ବାଘର ଅତି ପ୍ରିୟ ଓ ପାଣିରେ ୨୪ କିଲୋମିଟରରୁ ଅଧିକ ପହଁରୁ ଥିବାର ଦେଖାଯାଇଛି । ବାଘ ଗରମ ସହ୍ୟ କରି ପାରେ ନାହିଁ । ଗରମ ହେଲେ ପାଣିରେ ଡୁବୁକି ଲଗାଇଥାଏ । ମିଳନର ସମୟ ଆସିଲେ ପୁରୁଷ ବାଘ ବାଘୁଣୀ ସନ୍ଧାନରେ ବାହାରି ପଡ଼େ । ମାଈ ବାଘ ଏକ ସଙ୍ଗରେ ୧ରୁ ୨ ଶାବକକୁ ପାଳି ପାରେ । ପୁରୁଷ ବାଘ ଶିକାର କରି ଶାବକକୁ ଖାଇବାକୁ ଦେଉଥିବା ବେଳେ ମା ଶାବକକୁ ଜଗି ରୁହେ । ଏକ ବର୍ଷ ହେବା ପରେ ମାଠାରୁ ଛୁଆ ଅଲଗା ହୋଇ ନିଜେ ଶିକାର କରି ପେଟ ପାଳିବା ଶିଖେ । ଶାବକ ପ୍ରତି ତାର ବାପା, ଚିତା, କଲରାପତରିଆ ଓ ହେଟା ବାଘ ଆଦି ପକ୍ଷରୁ ବିପଦ ରହିଥାଏ । ବାଘ ମଣିଷର ଚଳ ପ୍ରଚଳ ସହିତ ହୋ ହଲ୍ଲା ଆଦିକୁ ପସନ୍ଦ କରି ନଥାନ୍ତି ।

ଓଡ଼ିଶା ସରକାର୨୦୦୭ ମସିହାରେ ଦେଶର ସପ୍ତମ ବ୍ୟାଘ୍ର ଅଭୟାରଣ୍ୟ ଭାବରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଶିମିଳିପାଳକୁ । ସମୟ ସହ ତାଳ ଦେଇ ଅଭୟାରଣ୍ୟର ଶୋଭାରାଜି କ୍ରମଶଃ ବଦଳିବାରେ ଲାଗିଛି ଓ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଏଠାକାର ବାଘ ସଂଖ୍ୟା । ଶିମିଳିପାଳ କୋର୍ ଏରିଆରେ ବସବାସ କରୁଥିବା ଅଧିବାସୀ ତଥା ଶାଳପତ୍ର ତୋଳାଳୀମାନେ କୁହନ୍ତି, ବାଘ ଦେଖିବା ତ ଦୂରର କଥା ଆମେ ତାର ଗର୍ଜନ ଶୁଣିବାକୁ ପାଉ ନାହୁଁ । ଜୀବଜନ୍ତୁ ମାନଙ୍କର ସୁରକ୍ଷା ବ୍ୟବସ୍ଥାରେ ତୃଟି ରହି ଯାଉଥିବାରୁ ଶିମିଳିପାଳ ଅଭୟାରଣ୍ୟକୁ ନେଇ ଜୈବ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଅଭୟାରଣ୍ୟରେ ଜଙ୍ଗଲ ଧ୍ୱଂସ ସହିତ ଅବାଧ ପଶୁ ଶିକାର ହୋଇ ତାର ଚମଡ଼ା ଓ ମାଂସ, ଦାନ୍ତ ସହିତ ବାଘୁଆ ବୁଢ଼ୀଆଣି, ରଣା ଓ ନାଗ ସାପ, ସୁଆ, ଶାରୀ, ମଇନା, ବିରଳ ଜାତିର ପେଚା, ବଜ୍ରକାପ୍ତା, କୁଚିଳାଖାଇ ଚଢ଼େଇ, ରଙ୍ଗ ବଦଳାଉଥିବା ପୋହଳା ଏଣ୍ଡୁଅ ଆଦିକୁ ଧରି ବାହାରେ ବିକ୍ରୀ କରୁଛନ୍ତି ଶିକାରୀ । ବନ ବିଭାଗ ଅଭୟାରଣ୍ୟକୁ କାଠ ମାଫିଆ ତଥା ଶିକାରୀଙ୍କ କବଳରୁ ମୁକ୍ତ କରିବାରେ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ହୋଇ ପଡ଼ିଛି । କେବଳ ଏତିକି ନୁହେଁ କେତେକ ଅସାଧୁ କର୍ମଚାରୀମାନେ ପରୋକ୍ଷରେ ଏହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହାୟତା ଯୋଗାଉଥିବା ବିଷୟକୁ ନେଇ ଅତୀତରେ ଅଭିଯୋଗ ଆସିଥିଲା । ଏଥି ସହିତ ୨୦୧୦ ମସିହାରେ ୧୦ରୁ ଅଧିକ ହାତୀକୁ ବିଷ ପ୍ରୟୋଗ କରି ହତ୍ୟା ଓ ଦାନ୍ତ ଲୁଟ୍ ଘଟଣାକୁ ଚପାଇ ଦେବା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ଅଭିଯୋଗ ପରେ ଉଗ୍ରସେନ ଜେନା ନାମକ ରେଞ୍ଜ ଅଧିକାରୀଙ୍କୁ ନିଜର କର୍ତବ୍ୟରେ ଅବହେଳା କାରଣରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାର ନଜିର ରହିଛି । ଅନ୍ୟପଟରେ ଅଭୟାରଣ୍ୟକୁ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଯିବା ନିମନ୍ତେ ଉଦ୍ୟମ ଜାରି ରହିଛି । କିନ୍ତୁ, ୨୦୦୬ ମସିହା ବିଶ୍ୱ ବନ ଦିବସ ପାଳନ ଅବସରରେ ଆୟୋଜିତ ସାଧାରଣ ସଭାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧିକାରୀ ଶିମିଳିପାଳ ଅଭୟାରଣ୍ୟରେ ବାଘ ଦେଖିବାକୁ ମିଳୁ ନାହିଁ କହିବା ପରେ ବାଘ ଗଣନାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

୧୯୭୩ ମସିହାରେ ତତ୍କାଳୀନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ସରୋଜ ରାଜ ଚୌଧୁରୀ ଅଭୟାରଣ୍ୟ ମଧ୍ୟରେ ଜୀବଜନ୍ତୁଙ୍କର ପାଦ ଚିହ୍ନ(ପଗ୍ ମାର୍କ), ମଳ, ଗଛରେ ଆମ୍ପୁଡ଼ା ଚିହ୍ନ ଆଦିକୁ ଅନୁଧ୍ୟାନ କରି ବାଘ ସହିତ ଅନ୍ୟ ଜନ୍ତୁଙ୍କର ଗଣନା ଆରମ୍ଭ କରିଥିଲେ । ଭାରତ ସହିତ ସମଗ୍ର ପୃଥିବୀର ବିଭିନ୍ନ ଜଙ୍ଗଲରେ ଏହି ପଗ୍ ମାର୍କ ପଦ୍ଧତି ଅନୁସାରେ ମଧ୍ୟ ବାଘ ଓ ଅନ୍ୟ ଜୀବ ଜନ୍ତୁଙ୍କର ଗଣନା ଚାଲୁ ରହିଛି । ମାତ୍ର ଓଡ଼ିଶାରେ ଡବ୍ଲୁଆଇଆଇ ଏହା ଉପରେ ପ୍ରଶ୍ନ ଚିହ୍ନ ଉଠାଇ କ୍ୟାମେରା ଟ୍ରାପିଙ୍ଗ ବ୍ୟବସ୍ଥାର ପ୍ରଚଳନ, ମଳ, ଗଛ ଗଣ୍ଡିରେ ଆମ୍ପୁଡ଼ା ଦାଗ ଆଦି ଆଧୁନିକ ପଦ୍ଧତି ଉପରେ ଗୁରୁତ୍ୱରୋପ କରିଛନ୍ତି । ଏନଟିସିଏ ପକ୍ଷରୁ ପ୍ରତ୍ୟେକ ୪ ବର୍ଷରେ ଥରେ ଲେଖାଏଁ ବାଘ ଗଣନା କରାଯାଇଥାଏ । ୨୦୦୬ ରିପୋର୍ଟ ଆଧାରରେ ଶିମିଳିପାଳ ଅଭୟାରଣ୍ୟରେ ୨୮ ପୁରୁଷ, ୪୧ ମାଈ ଓ ୩୨ ଶାବକ ମୋଟ ୧୦୧ ବାଘ ରହିଥିଲେ । ୨୦୦୮ରେ ୧୬ ପୁରୁଷ, ୩୧ ମାଈ ଓ ୧୪ ଶାବକ ମୋଟ ୬୧ ବାଘ ରହିଥିବା ବେଳେ ୪୦ ବାଘ ଅନ୍ତର୍ଦ୍ଧାନ ହୋଇଗଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ପରିବେଶବିତ୍ ତଥା ସମାଜସେବୀ ବିଶ୍ୱଜିତ ମହାନ୍ତି । ୨୦୧୬ରେ ଏହି ସଂଖ୍ୟା ୧୭କୁ ଖସି ଆସିଛି ।

ସେହିପରି ୨୦୦୫-୦୬ରେ ଶିମିଳିପାଳରେ ୩ଟି କଳାବାଘ(ମିଲନେଷ୍ଟିକ ଟାଇଗାର) ଥିବାର ଜଣାପଡ଼ିଥିଲା । ଏହା ମଧ୍ୟରୁ ଗୋଟାଏ ବାଘକୁ ଜନସାଧାରଣ ମାରି ଦେଇଥିବା ବେଳେ ୨ଟି ରହିଥିଲା ଏବଂ ବର୍ତମାନ ୪ରୁ ୬ଟି ବାଘ ଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି । ଶିମିଳିପାଳରେ ବାଘମାନଙ୍କର ପ୍ରକୃତ ସଂଖ୍ୟା ଓ ଗଣନାର ରିପୋର୍ଟକୁ ନେଇ ବିବାଦ ମୁଣ୍ଡ ଟେକି ଉଠିଲା । ଯାହାଫଳରେ ଗଣନାକୁ ସ୍ୱୀକୃତି ଦେଇ ପାରି ନଥିଲା ଏନଟିସିଏ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରକୃତରେ କେତେ ସଂଖ୍ୟାରେ ବାଘ ରହିଥିଲେ ଓ ରହିଛନ୍ତି ତାହା ଏକ ପ୍ରଶ୍ନବାଚୀ ? ବାଘ ଗଣନା ନାମରେ ରାଜକୋଷରୁ ବ୍ୟୟ କରାଯାଉଥିବା ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ୁଛି । ୨୦୧୩ ମସିହାରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବାଘ ସହିତ ସମସ୍ତ ଜୀବଜନ୍ତୁଙ୍କ ଗଣନା ଓ ସେମାନଙ୍କର ଗତିବିଧି ନିରୀକ୍ଷଣ କରାଯିବା ନିମନ୍ତେ ପ୍ରଥମ ଥର ପାଇଁ ୪ ଶହ ବର୍ଗ କି.ମି. ଅଂଚଳରେ କ୍ୟାମେରା ଖଞ୍ଜା ଯାଇଥିଲା । ଏହି କ୍ୟାମେରାଗୁଡ଼ିକ ମଧ୍ୟରୁ କେତେକ କ୍ୟାମେରାକୁ ଅସାମାଜିକ ବ୍ୟକ୍ତିମାନେ ଚୋରୀ କରି ନେଇଯାଇଥିବା ବେଳେ କେତେକ କ୍ୟାମେରାକୁ ଭାଙ୍ଗି ଦେଇଥିବା ବିଷୟକୁ ସେହି ସମୟରେ ସ୍ୱୀକାର କରିଥିଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର କ୍ଷେତ୍ର ନିର୍ଦ୍ଦେଶକ ଅନୁପ କୁମାର ନାୟକ । ଏହା ବ୍ୟତୀତ ଉଦ୍ଧାର କରାଯାଇଥିବା ଅବଶିଷ୍ଟ କ୍ୟାମେରା ମଧ୍ୟରୁ କେତେକ କ୍ୟାମେରାରେ ଶିକାରୀମାନଙ୍କ ଦ୍ୱାରା ଜୀବଜନ୍ତୁଙ୍କର ଶିକାରର ଛବି ମଧ୍ୟ ରେକର୍ଡ଼ ହୋଇ ରହିଥିଲା । ବନ ବିଭାଗକୁ ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପର ସମସ୍ତ ଚାକ୍ଷୁସ ପ୍ରମାଣ କ୍ୟାମେରାରୁ ହସ୍ତଗତ ହୋଇପାରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲା ନାହିଁ । ମାତ୍ର ଉକ୍ତ କ୍ୟାମେରାଗୁଡ଼ିକରୁ ସଂଗୃହୀତ ତଥ୍ୟ ଅନୁସାରେ, କୋର୍ ଅଂଚଳର ୪ ସହ ବର୍ଗ କି.ମି. ଏରିଆରେ ଶିମିଳିପାଳ ଅଭୟାରଣ୍ୟର ଗର୍ବ ଓ ଗୌରବ କଳା ବାଘ (ମିଲନେଷ୍ଟିକ ଟାଇଗର) ନିଜର ଦୁଇ ଶାବକଙ୍କ ସହିତ ୨୫ ଗୋଟି ମହାବଳ ବାଘ ଚଳପ୍ରଚଳ କରୁଥିବା ବିଷୟକୁ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର କ୍ଷେତ୍ର ନିର୍ଦ୍ଦେଶକ ଅନୁପ କୁମାର ନାୟକ ବାରିପଦା ଠାରେ କେତେକ ଗଣମାଧ୍ୟମକୁ ସୂଚନା ଦେଇ ଥିବାର ଖବର ପ୍ରଚାରିତ ହୋଇଥିଲା । ବର୍ତମାନର ଶିମିଳିପାଳ (ଦକ୍ଷିଣ) ବନ୍ୟ ପ୍ରାଣୀ ବନଖଣ୍ଡ ଉପକ୍ଷେତ୍ର ନିର୍ଦ୍ଦେଶକ ଡ଼ା. ଯଜ୍ଞଦତ ପତି ୨୦୨୦ ଫେବୃଆରୀ ୭ରେ ଦେଇଥିବା ସୂଚନାରେ ୨୦୧୮ ଗଣନାର ରିପୋର୍ଟ ୨୦୧୯ ଜୁଲାଇ ୨୯ରେ ଷ୍ଟେଟ ୱାଇଜ ଡ଼ାଟା ଆସିଛି । ଟାଇଗର ରିଜର୍ଭ ଅନୁସାରେ ରିପୋର୍ଟ ଆସିନାହିଁ । ଉକ୍ତ ରିପୋର୍ଟରେ ଓଡ଼ିଶାରେ ବାଘ ସଂଖ୍ୟା ସ୍ଥିର ରହିଥିବାର ଜଣାପଡ଼ିଛି । ତେବେ ଶିମିଳିପାଳରେ ପୂର୍ବରୁ ୧୭ଟି ମହାବଳ ବାଘ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ୪ରୁ ୬ଟି ମିଲନେଷ୍ଟିକ ଟାଇଗାର(କଳାବାଘ) ଥିଲା ଓ ବର୍ତମାନ ଏହାର ସଂଖ୍ୟା ବୃଦ୍ଧି ପାଇଛି ବୋଲି ପ୍ରକାଶ କରିଥିଲେ । ମାତ୍ର ଏହି ବାଘ ସଂଖ୍ୟାରେ କେତେ ଦୂର ସତ୍ୟତା ରହିଛି ତାହା ମଧ୍ୟ ଏକ ପ୍ରଶ୍ନବାଚୀ ? ବନ ବିଭାଗ ସୂତ୍ରରୁ ଶିମିଳିପାଳ ଅଭୟାରଣ୍ୟର କୋର୍ ଅଂଚଳର ୪ ଶହ ବର୍ଗ କିଲୋମିଟର ଇଲାକାରେ ଏହି କ୍ୟାମେରା ଖଞ୍ଜା ଯାଇ ବାଘ ଗଣନା କରାଯାଇଥିବାର କୁହାଯାଇଥିଲା । ଅଭୟାରଣ୍ୟର ୮୪୫ ବର୍ଗ କି.ମି. ଅଂଚଳକୁ ନେଇ କୋର୍ ଏରିଆ । ଏହି କୋର୍ ଏରିଆ ମଧ୍ୟରେ ରହିଥିବା ନିର୍ଦ୍ଦିଷ୍ଟ କେତୋଟି ରେଞ୍ଜରେ ବାଘ ଦେଖା ଯାଇଥାନ୍ତି । ତେଣୁ କୋର୍ ଅଂଚଳରେ କେଉଁ କାରଣରୁ ବିଭାଗ ପକ୍ଷରୁ କ୍ୟାମେରା ଖଞ୍ଜା ଯାଇ ପାରିନଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେହିପରି ଶିମିଳିପାଳ ସହିତ ଓଡ଼ିଶାରେ ରହିଥିବା ବାଘମାନଙ୍କର ସଂଖ୍ୟାକୁ ନେଇ ବର୍ତମାନ ମଧ୍ୟ ବିବାଦ ରହିଛି । ରାଜ୍ୟ ସରକାରଙ୍କର ରିପୋର୍ଟକୁ ଏନଟିସିଏ ଗ୍ରହଣ କରିପାରି ନାହିଁ କି ଏନଟିସିଏର କଥାକୁ ରାଜ୍ୟ ସରକାର ସ୍ୱୀକାର କରିପାରୁ ନାହାଁନ୍ତି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ସ୍ମରଣିକା-୨୦୧୩ ରେ ବ୍ୟାଘ୍ର ସଂରକ୍ଷଣ ବିଭାଗର କ୍ଷେତ୍ର ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ଦ୍ୱାରା ରଚିତ ଶିମିଳିପାଳରେ ବାଘ ସୁରକ୍ଷା ଲାଗି ପ୍ରକୃତରେ ଅକଳୁଷିତ ଅଂଚଳର ଆବଶ୍ୟକତା, ବନ ଖଣ୍ଡ ଅଧିକାରୀ ବିଜୟ କୁମାର ପଣ୍ଡାଙ୍କର ଭକ୍ଷକ, ବାଜ ପକ୍ଷୀ , ପ୍ରେତାତ୍ମାର ବୟାନ ଓ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର କ୍ଷୁଦ୍ର ଗଳ୍ପରେ ଶିମିଳିପାଳ ଅଭୟାରଣ୍ୟ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା କ୍ଷେତ୍ରରେ ନିଜର ଅସହାୟତାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଅଭୟାରଣ୍ୟର କୋର୍ ଓ ବଫର ଏରିଆରେ ଇଂଚେ ମଧ୍ୟ ସ୍ଥାନ ନାହିଁ ଯେଉଁଠି ମଣିଷର ପାଦ ପଡ଼ୁ ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ମାତ୍ର ଏହା ମଧ୍ୟ ନିରାଟ ସତ୍ୟ ଯେ, ଅଖଣ୍ଡ ଶିକାର ହେଉ କିମ୍ବା ହାତୀ ମୃତ୍ୟୁ, ବାଘ ଓ ତୃଣଭୋଜିଙ୍କ ସଂଖ୍ୟା ହେଉ । ଆମେ ନିଜେ ନିଜକୁ ପ୍ରତାରଣା କରିଆସୁଛୁ ଓ ଏହା ବାଘ ସଂରକ୍ଷଣ ତଥା ସେମାନଙ୍କର ବଂଶ ବିସ୍ତାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଏଥିରେ ସନ୍ଦେହର ଅବକାଶ ନାହିଁ । ଶିମିଳିପାଳ ମଧ୍ୟରେ ଖେଦା ମାଧ୍ୟମରେ ଅଖଣ୍ଡ ଶିକାର, ଫାଶ, ଧନୁତୀର ଓ ଦେଶୀ ବନ୍ଧୁକରୁ ଗୁଳି ଚଳାଇ, ଶିକାରୀ କୁକୁରଙ୍କର ସହାୟତାରେ ଶିକାର ଚାଲିଛି । ଶିମି଼ିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ୩ ଗୋଟି ଓ ବଫର ଏରିଆରେ ୬୫ ଗୋଟି ଜନବସତିରେ ପ୍ରାୟ ୧୫ ହଜାରରୁ ଅଧିକ ଜନସାଧାରଣ ଦୈନିକ ଅଭୟାରଣ୍ୟ ମଧ୍ୟରେ ଚଳପ୍ରଚଳ ବା ଯାତାୟତ କରୁଛନ୍ତି । ଏଥି ସହିତ କୋର୍ ଏରିଆରେ ଗାଈ ଗୋରୁ, ଛେଳି ଓ ମଇଁଷି ଆଦିକୁ ଛଡ଼ା ଯାଉଛି । ଯାହା ବନ୍ୟଯନ୍ତୁମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଗାଈ ଗୋରୁଙ୍କ ନିକଟରୁ ଫାଟୁଆ, ବଜବଜି ଆଦି ରୋଗ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ କୁକୁରଠାରୁ ଭୂତାଣୁ ସଂକ୍ରମିତ ହୋଇ ବନ୍ୟପ୍ରାଣୀମାନଙ୍କର କ୍ଷତି ଘଟାଇ ପାରିବ । ତେଣୁ ବନ୍ୟ ପ୍ରାଣୀମାନଙ୍କୁ କୋର୍ ଏରିଆରେ ସୁରକ୍ଷା ଯୋଗାଇ ଦେବା ସହିତ ନିରାପଦରେ ଚଳପ୍ରଚଳ, ପ୍ରଜନନ ଓ ବଂଶ ବିସ୍ତାର ନିମନ୍ତେ ଶିମିଳିପାଳ କର୍ତୃପକ୍ଷ ଦୃଷ୍ଟି ଦେବା ପ୍ରଥମ କର୍ତବ୍ୟ ବୋଲି ସ୍ଥିର କରାଯାଇ ୮ ଗୋଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ଲେଖା ସୂଚନା ଦେଉଛି ।(ହି.ସ.)-

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in