ହଜିଯାଉଛି ପରିବେଶର ସୁରକ୍ଷା : କରୋନା ମୁକାବିଲାରେ ପଲିଥିନର ବହୁଳ ବ୍ୟବହାର

FMODIA.IN 23-05-2020
Losing environmental protection: Excessive use of polythene in the fight against corona

ବିଶ୍ବଜିତ ନାଥ / ଭଦ୍ରକ

(FMODIA.IN) - ସରକାର କୋଭିଡ଼-୧୯ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହେଉଛି । ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ହୋଇଥିବା ବେଳେ କୋଭିଡ଼-୧୯ରେ ଏହାର ବହୁଳ ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ସରକାର କରୋନା ସଂକ୍ରମଣ ଉପରେ ରୋକ୍ ପାଇଁ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥଇଥାନ କରାଉଛନ୍ତି । ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ସେମାନଙ୍କୁ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଉଛି ସେଥିପାଇଁ ପଲିଥିନ ବ୍ୟବହୃତ ହେଉଥିବାର ଜଣାପଡ଼ିଛି । ରନ୍ଧା ଖାଦ୍ୟକୁ ପଲିଥିନରେ ପ୍ୟାକ କରି ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଦିଆଯାଉଛି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଗରିବ,ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ପଲିଥିନ ବାଟେ ଦିଆଯାଉଥିବାର ଦେଖିବାକୁ ମିଳୁଛି । ଯାହାକି ପରିବେଶ ପ୍ରତି ବିପଦ ସୃଷ୍ଟି କରିବା ସହ ଆଗାମୀ ଦିନରେ ଆଉ ଏକ ବିପଦକୁ ଡ଼ାକି ଆଣୁଛି । ପ୍ରକାଶ ଥାଉକି:- ପରିବେଶ ସୁରକ୍ଷାକୁ ନଜରକୁ ନେଇ ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାର କୁ ବିରୋଧ କରିବା ସହ ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନ ଙ୍କୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଇତି ମଧ୍ୟରେ ୧୭ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ସମଗ୍ର ଦେଶରେ ପରିବେଶର ସୁରକ୍ଷାକୁ ନେଇ ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ବହୁ ରାଜ୍ୟରେ ପଲିଥିନ୍ କାରବାର ବନ୍ଦ ହୋଇଯାଇଥିବା ବେଳେ ୨୦୧୮ ଅକ୍ଟୋବର ୨ତାରିଖରୁ ରାଜ୍ୟର ୬ଟି ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ଗତ ବର୍ଷ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଆଜି ସୁଦ୍ଧା ହୋଇ ପାରି ନାହିଁ । ଏହାର ବ୍ୟବହାର ଉପରେ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନିଆ ହେବା ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି । ବନ୍ତ ବ୍ଲକ ସମେତ ବିଭିନ୍ନ ଅଂଚଳରେ ପଲିଥିନ୍ର ବହୁଳ ବ୍ୟବହାର ଦେଖାଯାଇଛି । ୫୦ମାଇକ୍ରୋନରୁ କମ୍ ପଲିଥିନ୍ ବ୍ୟବହାର କରିବା ଆଇନ୍ ବିରୁଦ୍ଧ ହୋଇଥିବା ବେଳେ ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନ୍ରେ ନେଉଥିବାର ଦେଖାଯାଉଛି । ପଲିଥିନ୍ କୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି । ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନ୍ କୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେ ବିଭିନ୍ନ ବାର୍ତ୍ତାକୁ ପଲିଥିନ୍ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଏହିସବୁକୁ ଆଖିଆଗରେ ରଖି ପଲିଥିନ୍ର ବିକଳ୍ପକୁ ବ୍ୟବହାର କରିବା ସହ କରୋନା ମୁକାବିଲାରେ ପଲିଥିନ ବ୍ୟବହାରରୁ ନିବୃତ୍ତ ରହିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।