ସଙ୍ଗରୋଧ କେନ୍ଦ୍ରରେ ମହିଳା ପାଳିଲେ ସାବିତ୍ରୀ ବ୍ରତ

FMODIA.IN 23-05-2020
quaraintine re sabitri brata

ଭଦ୍ରକ, 23 ମଇ : ଏକଦା ଧର୍ମରାଜ ଯୁଧିଷ୍ଠିର ସୃଷ୍ଟିକର୍ତା ଶ୍ରୀକୃଷ୍ଣଙ୍କୁ ଭକ୍ତି ସହକାରେ ନାରୀ କେଉଁ ବ୍ରତ ଉପାସନା କରି ଭାଗ୍ୟବତୀ ଓ ପତି ପରାୟଣ ହୋଇ ସାତଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ ସହ ମୃତୁ୍ୟ ପର୍ଯ୍ୟନ୍ତ ଏକ ପ୍ରାଣ ହୋଇ ରହିପାରିବ ସେ ବିଷୟରେ ଜାଣିବା ପାଇଁ ନିବେଦନ କରିଥିଲେ । ତାଙ୍କ ନିବେଦନକୁ ରକ୍ଷାକରି ଜଗତକର୍ତା ଯଥା ବ୍ରତମାନଙ୍କ ଗୁରୁ ଶ୍ରୀକୃଷ୍ଣ କହିଲେ ଯେ ସଧବା ନାରୀ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଭକ୍ତିପୂତ ଘୃତ ପ୍ରଦୀପ ଜାଳି ସାବିତ୍ରୀ ବ୍ରତ ଆଚରଣ କଲେ ବ୍ରତର ଫଳ ମିଳିବା ସହ ଅଶେଷ ପୂଣ୍ୟ ମଧ୍ୟ ଅର୍ଜନ ହେବ । ସୃଷ୍ଟି ପାଇଁ ସତୀ ନାରୀ ପବିତ୍ର ମନରେ ଶୁକ୍ଳ ବସ୍ତ୍ର ପରିଧାନ କରି ଏହି ବ୍ରତ ପାଳନ କରିବା ଉଚିତ୍ । ଜଣେ ସଧବା ନାରୀ ପବିତ୍ର ମନରେ ଯେଉଁ କର୍ମ କରେ, ନିଶ୍ଚୟ ତାହାର ଫଳ ମଧୁର ବୋଲି ପ୍ରମାଣ ରହିଛି । ସୃଷ୍ଟି ପାଇଁ ସତୀ ନାରୀ ପବିତ୍ର ମନରେ ଶୁକ୍ଳ ବସ୍ତ୍ର ପରିଧାନ କରି ଏହି ବ୍ରତ ପାଳନ କରିବା ଉଚିତ୍ । ଶୁଦ୍ଧପୁତ ଭାବେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ ସ୍ୱାମୀ ପାଦୁକା ସେବନ କରି ବ୍ରତ ସମାପନ କରିବା ଦ୍ୱାରା ପରିବାର ମଙ୍ଗଳ ହୋଇଥାଏ ଏବଂ ସୁସନ୍ତାନ ଜାତ ହୋଇଥାଏ । ସତ୍ୟଯୁଗରେ ସତୀ ଅନୁସୟା ତାଙ୍କର ଅଭିଶାପଗ୍ରସ୍ତ କୋଷ୍ଠ ରୋଗାକ୍ରାନ୍ତ ସ୍ୱାମୀଙ୍କୁ ଆରୋଗ୍ୟ କରିଥିବାବେଳେ ତ୍ରେତୟା ଯୁଗରେ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ସତୀ ସ୍ତ୍ରୀ ତାଙ୍କର ପ୍ରାଣ ରକ୍ଷା କରିପାରିଥିଲେ । ସେହିପରି ଦ୍ୱାପର ଯୁଗରେ ମହାସତୀ ସାବିତ୍ରୀ ଯମରାଜଙ୍କୁ ବିଭସ କରି ତାଙ୍କର ମୃତ ସ୍ୱାମୀ ସତ୍ୟବାନଙ୍କ ଶରୀରରେ ପୁନର୍ବାର ପ୍ରାଣର ସଂଚାର କରାଇପାରିଥିଲେ । ନିଜ ପରିବାର ସହ ଶ୍ୱଶୁର ଘର ପରିବାରର ମଙ୍ଗଳ କାମନା କରିବା ସର୍ବଦା ଜଣେ ସତୀ ନାରୀର କର୍ତବ୍ୟ ବୋଲି ସାବିତ୍ରୀ ନିଜ କାର୍ଯ୍ୟ କଳାପରୁ ପ୍ରମାଣିତ କରିଛନ୍ତି । ଏହି ତଥ୍ୟକୁ ଆଧାର କରି ସମଗ୍ର ଭାରତବର୍ଷର କୋଣ ଅନୁକୋଣରେ ବିବାହିତା ହିନ୍ଦୁ ରମଣୀମାନେ ସେମାନଙ୍କର ସ୍ୱାମୀଙ୍କର ମଙ୍ଗଳ କାମନା କରି ସାବିତ୍ର ଅମାବାସ୍ୟା ତିଥିରେ ପୂଜାର୍ଚ୍ଚନା କରିଥାନ୍ତି । ବିଭିନ୍ନ ରାଜ୍ୟରେ ଏହାର ବିଭିନ୍ନ ନାମ ଥିବାବେଳେ ଓଡ଼ିଶାରେ ଏହା ସାବିତ୍ରୀ ବ୍ରତ ଭାବେ ପରିଗଣିତ । ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ବ୍ରତ ପାଳନ କରାଯାଉଥିଲେ ମଧ୍ୟ ସାରା ଦେଶ କରୋନା ପରି ମହାମାରୀ କବଳରେ କବଳିତ ହୋଇଥିବାରୁ ଏଥିରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତାକୁ ଗୁରୁତର ସହ ନିଆଯାଉଥିବାରୁ ଏହି ବ୍ରତକୁ ନିଜ ନିଜ ଘରେ ରହି ପାଳନ କରିବାକୁ ସରକାର ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକ୍ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ସରପଂଚଙ୍କ ସହଯୋଗ ଫଳରେ ମହିଳା ଅନ୍ତେବାସୀମାନେ ସାବିତ୍ରୀ ବ୍ରତ ପାଳନ କରିଥିଲେ ଏବଂ ଏଥିପାଇଁ ଆବଶ୍ୟକ ସାମଗ୍ରୀ ସରପଂଚମାନଙ୍କ ଦ୍ୱାରା ସେମାନଙ୍କୁ ଯୋଗାଇ ଦିଆଯାଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଚାରିଗାଁ ପଂଚାୟତ ବାଲିପୋଖରୀ ସଙ୍ଗରୋଧ କେନ୍ଦ୍ରରେ ୨ ଜଣ, ବଡବର୍ଚ୍ଚିକୟାଁ ପଂଚାୟତ ବଡବର୍ଚ୍ଚିକୟଁରେ ୩ ଜଣ ଓ ଆପ୍ତିରାରେ ୧ ଜଣ, ଓଡଙ୍ଗ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ୯ ଜଣ, ଅଣିଜୋ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ୪ ଜଣ ଏବଂ ଗୋପୀନାଥପୁର ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ୩ ଜଣ ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବାର ଜଣାପଡିଛି ।