ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି, ଇଦ୍ ପାଳନ ବେଳେ ଜାରି ରହିବ କଟକଣା

FMODIA.IN 23-05-2020
Section 14 continues in theology, and restrictions will continue during Eid

ବିଶ୍ବଜିତ ନାଥ / ଭଦ୍ରକ

(FMODIA.IN) - ଆଜି ଭଦ୍ରକ ଜିଲ୍ଲାର ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି । ଲକ୍ଡାଉନ ସ୍ଥିତିକୁ ନେଇ ମନ୍ଦିର ଓ ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି କରାଯାଇଛି । ଆଗାମୀ ଇଦ ପର୍ବ ପାଇଁ ଚଉଦ ମହଲା ମୁସଲିମ ଜମାତ ଓ ପ୍ରଶାସନର ଆଲୋଚନା ହୋଇଯାଇଛି । ୫ଜଣରୁ ଅଧିକ ଏକତ୍ର ନ ହେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆଜି ଭଦ୍ରକ ଜିଲ୍ଳାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି । ଆଜି ନୂତନ ଭାବେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଚାନ୍ଦବାଲି ବ୍ଳକର । ସେମାନେ ସମସ୍ତେ ଗୋଟିଏ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏମାନଙ୍କ ମଧ୍ୟରେ ଦୁଇଜଣ ଆକ୍ରାନ୍ତ ସ୍ୱାମୀ ସ୍ତ୍ରୀ ଅଟନ୍ତି । ସମସ୍ତେ ମହାରାଷ୍ଟ୍ରରୁ ଫେରିଥିବା ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହାକୁ ନେଇ ଚାନ୍ଦବାଲି ବ୍ଳକର ନଳଗୋହିରା ପଞ୍ଚାୟତର ସାନତିଳଞ୍ଚି ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଓ ନଳଗୋହିରା ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ଅଧିକରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବାରୁ ଆଜି ସାବିତ୍ରୀ ବ୍ରତରେ ବିଭିନ୍ନ ମନ୍ଦିରମାନଙ୍କରେ ଅଧିକ ଭିଡ ହେବାର ସମ୍ଭାବନାକୁ ନେଇ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି କରାଯାଇଥିଲା । ଏହାର କଡାକଡି ପାଳନ କ୍ଷେତ୍ରରେ ମନ୍ଦିର ଓଧର୍ମାନୁଷ୍ଠାନ ମାନଙ୍କରେ ଜିଲ୍ଲା ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ପୁଲିସ ମୁତୟନ କରାଯାଇଥିଲା । ଆଗାମୀ ଇଦ୍ ଉପଲକ୍ଷେ ଆଜି ଭଦ୍ରକର ମୁସ୍ଲିମ ଜମାତ ଏବଂ ଧାମନଗରର ମୁସଲିମ ସଂପ୍ରଦାୟର ମୁଖିଆମାନେ ଜିଲ୍ଳା ପ୍ରଶାସନ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ. ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର (ସା), ଅତିରିକ୍ତ ଏସପି କୈଳାସ ପରିଡା, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଚଉଦ ମହଲା ମସୁଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ ପ୍ରମୁଖ ଭାଗ ନେଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ମନ୍ଦିର ଓ ଧର୍ମାନୁଷ୍ଠାନରେ ଧାର୍ମିକ ସଭା କିମ୍ବା ଭକ୍ତମାନଙ୍କ ଏକତ୍ର ହେବା ଉପରେ ନିଷେଧାଦେଶ ବଳବତ୍ତର ଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ପାନଳ କରିବାକୁ ଯାଇ ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି । ଯାହା ଆସନ୍ତା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଏହି ସମୟ ମଧ୍ୟରେ ମୁସଲମାନମାନଙ୍କର ଇଦ୍ ପର୍ବ ପଡୁଥିବାରୁ ମସ୍ଜିଦ୍ରେ କେବଳ ୫ ଜଣ ଶ୍ରଦ୍ଧାଳୁ ସାମାଜିକ ଦୂରତ୍ୱ ରକ୍ଷା କରି ନମାଜ ପାଠ କରି ପାରିବେ । ଏହା ଛଡା ନିଜ ନିଜ ଘର ବାରଣ୍ଡାରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା କରି କେବଳ ପରିବାରର ସଦସ୍ୟ ନମାଜ ପାଠ କରିବେ ବୋଲି ନିଷ୍ପତି ନିଆ ଯାଇଛି । କୌଣସି ପରିସ୍ଥିତିରେ ସଂଖ୍ୟାଧିକ ଲୋକ ଏକତ୍ରିତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।