ପ୍ଲାଷ୍ଟିକ କାରଖାନା ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ ଥାନା ସମ୍ମୁଖରେ ଧାରଣା

FMODIA.IN 31-07-2020
Demonstration in front of the police station demanding the relocation of the plastic factory

ନୂଆପଡା, ୩୧ ଜୁଲାଇ - ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ ପୁଟୁପଡା ଠାରେ ନିର୍ମାଣ ହେବାକୁ ଥିବା ପ୍ଲାଷ୍ଟିକ କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ ପଡାବାସୀ ପ୍ରବଳ ବିରୋଧ ପ୍ରଦର୍ଶନ କରି ଖଡିଆଳ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଧାରଣାରେ ପଡାର ଯୁବଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ଥିଲେ । ଜିଲ୍ଲା ପ୍ରଶାସନ ଏହି କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ବ୍ୟାପକ ଭାବରେ ଆନ୍ଦୋଳନ କରାଯିବ ବୋଲି ପଡାବାସୀ ଚେତାବନୀ ଦେଇଛନ୍ତି । ଏହି ପ୍ଲାଷ୍ଟିକ କାରଖାନା ତିଆରି ହେଲେ ପ୍ରଦୂଷଣ ବଢିବା ସହ ପରିବେଶ କ୍ଷତିକାରକ ହେବ । ଫଳରେ ପଡାବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ଅଭିଯୋଗ କରିଛନ୍ତି । ଏନେଇ ପଡାବାସୀ ଗତ ଦିନରେ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଖଡିଆଳ ତହସିଲଦାର, ନୂଆପଡା ଜିଲ୍ଲାପାଳ ଏବଂ ପ୍ରଦୂଷଣ କଂଟ୍ରୋଲ ବୋର୍ଡଙ୍କୁ ମଧ୍ୟ ଦାବୀପତ୍ର ଦେଇ କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ କରିଥିଲେ । କିନ୍ତୁ କୌଣସି ପ୍ରକାରର ସୁଫଳ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।