ଚଳିତ ଖରିଫ୍ ଋତୁରେ ସମବାୟ ଫସଲ ଋଣ ପରମାଣ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି

FMODIA.IN 22-05-2020

ଭୁବନେଶ୍ୱର, 22ମଇ : କୋଭିଡ଼୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟରେ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ଖରିଫ୍-୨୦୨୦ ଋତୁରେ ସମବାୟ କ୍ଷେତ୍ର ମାଧ୍ୟମରେ ଚାଷୀମାନଙକୁ ଫସଲ ଋଣ ପରିମାଣ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଚଳିତ ଖରିଫ୍ରେ ମୋଟ ୭୫୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବର୍ଦ୍ଧିତ ଫସଲ ଋଣ ପ୍ରଦାନ ସମ୍ପର୍କରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି । ଲକ୍ ଡାଉନ୍ ପରିସ୍ଥିତିରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ମାନଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ଯୁଗ୍ମଦେୟ ଗୋଷ୍ଠୀରେ ସାମିଲ କରି ଫସଲ ଋଣ ଯୋଗାଇଦେବା, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଦିକୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି । ଏଥି ସହିତ ମତ୍ସ୍ୟ, ଗୋପାଳନ, ପ୍ରାଣୀପାଳନକ, କୁକୁଡ଼ା ଚାଷ ଆଦି କ୍ଷେତ୍ରରେ ଅଧିକ ପରିମାଣର କାର୍ଯ୍ୟକାରୀ ମୂଳଧନ ଋଣ ଆକାରରେ ଯୋଗାଇଦେବା ପାଇ ଗୁରୁତବ ଦିଆଯାଇଛି । ଏଥି ନିମନ୍ତେ ଜିଲ୍ଲାୱାରୀ ଋଣ ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଲକ୍ ଡାଉନ୍ ପରିସ୍ଥିତିରେ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ନିରାପତାକୁ ଦୃଷ୍ଟିରେ ରଖି ଅଧିକ ଖାଦ୍ୟ ଉତ୍ପାଦନ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଋଣର ଆବଶ୍ୟକତା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏଥି ସହିତ ଆନୁସଙ୍ଗିକ କୃଷି କ୍ଷେତ୍ର ଗୁଡ଼ିକରେ ସମବାୟ ବିଭାଗ ପକ୍ଷରୁ ଅଧିକ ପରିମାଣର ଋଣ ଯୋଗାଇ ଦେଇ ଚାଷୀମାନଙ୍କର ଆୟ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ତାଲାବନ୍ଦ ପରିସ୍ଥିତିରେ ଓଡ଼ିଶାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କର ଖାଦ୍ୟ ନିରାପତା ଏବଂ ଜୀବିକା ନିର୍ବାହ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀ, ଭାଗଚାଷୀ, ଭୂମିହୀନ କୃଷକ ମାନଙ୍କୁ ଅଗ୍ରାଧିକାର ଭିତିରେ ଋଣ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମବାୟ କ୍ଷେତ୍ରରେ ଫସଲ ଋଣ ପରିମାଣକୁ ବୃଦ୍ଧି କରାଯାଇଥିବା ପରିପ୍ରେକ୍ଷୀରେ ଜୁନ୍ ୨୦୨୦ ତ୍ରୈମାସିକ ଶେଷ ସୁଦ୍ଧା ୫୦୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ସେପ୍ଟେମ୍ବର-୨୦୨୦ ତ୍ରୈମାସିକ ଶେଷ ସୁଦ୍ଧା ବାକି ୪୦୦୦ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନ୍ତର୍ଗତ କାର୍ଡ଼ଧାରୀ, ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ, ପ୍ରକୃତ ଚାଷୀ, ଭାଗଚାଷୀ, ଭୂମିହୀନ ଚାଷୀ ଓ ଯେଉଁମାନଙ୍କ ନିକଟରେ ଜମି ମାଲିକାନା ସତ୍ୱ ନାହିଁ ସେମାନଙ୍କୁ ନେଇ ଅଧିକ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରି କିଷାନ କ୍ରେଡ଼ିଟ୍ କାର୍ଡ଼ ଅନ୍ତର୍ଗତ ଫସଲ ଋଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି କାର୍ଯ୍ୟ କରିବା ପାଇଁ ସ୍ୱଳ୍ପକାଳୀନ ଋଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ କୃଷି ସମବାୟ ସମିତି, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆଦି ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଫାର୍ମର୍ସ କ୍ଲବ ମାନଙ୍କୁ ସଂଶ୍ଳିଷ୍ଟ କରି ଅଧିକରୁ ଅଧିକ ଯୁଗ୍ମଦେୟ ଗୋଷ୍ଠୀ ଗଠନ ଓ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ୟାକ୍ସ ଗୁଡ଼ିକ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ମୋଟ ଋଣ ପ୍ରଦାନର ଅନ୍ତତଃ ୧୦ ପ୍ରତିଶତ ଋଣ ପ୍ରଦାନ କରିବା ପାଇଁ କୁହାଯାଇଛି ।
ଏଥି ସହିତ ଅଧିକରୁ ଅଧିକ ଚାଷୀ ମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତିରେ ସାମିଲ କରି ନୂତନ କିଷାନ କ୍ରେଡିଟ୍ କାର୍ଡ଼ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ପି.ଏମ୍. କିଷାନ ଯୋଜନା ଏବଂ କାଳିଆ ଯୋଜାର ଯେଉଁ ହିତାଧିକାରୀଙ୍କ କିଷାନ୍ କ୍ରେଡିଟ୍ କାର୍ଡ଼ ନାହଁ ସେମାନଙ୍କ କାଗଜପତ୍ର ଯାଂଚ କରି କିଷାନ କ୍ରେଡ଼ିଟ୍ କାର୍ଡ଼ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ କ୍ଷେତ୍ରରେ ଋଣ ପ୍ରଦାନ ନିମନ୍ତେ ଚାଷୀ ମାନଙ୍କୁ ଅଧିକ ଋଣ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ କ୍ଷେତ୍ରରେ ଋଣ ପ୍ରଦାନ ନିମନ୍ତେ ମିଶନ ଶକ୍ତି ଅଭିଯାନ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁଗ୍ମଦେୟ ଗୋଷ୍ଠୀକୁ ଅଗ୍ରାଧିକାର ଭିତିରେ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।ଏଥି ସହିତ ଜୀବିକାର୍ଜନ ନିମନ୍ତେ ମାଛ ଚାଷ, କୁକୁଡ଼ା ଚାଷୀ, ଗୋପାଳନ ଆଦି କ୍ଷେତ୍ରରେ ଚାଷଈ ତଥା ଗୋଷ୍ଠୀ ଗୁଡ଼ିକୁ ସ୍ୱଳ୍ପ କାଳୀନ କାର୍ଯ୍ୟକାରୀ ମୂଳଧନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ଯୋଗାଉଥିବା ଯେଉଁ ଚାଷୀମାନଙ୍କର କିଷାନ କ୍ରେଡ଼ିଟ୍ କାର୍ଡ଼ ନାହିଁ ସେମାନଙ୍କୁ କିଷାନ କ୍ରେଡ଼ିଟ୍ କାର୍ଡ଼ ଯୋଗାଇ ସମବାୟରେ ସାମିଲ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସମବାୟ ସଂସ୍ଥା ଦ୍ୱାରା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।