BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ପଂଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ

FMODIA.IN 14-09-2020
Last rites od Actor Ajit Das completed

ଭୁବନେଶ୍ୱର, ୧୪ ସେପ୍ଟେମ୍ବର ପଂଚଭୂତରେ ଲୀନ ହୋଇଛନ୍ତି ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଓ ମଂଚ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ । ସୋମବାର ଦିନ ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ତାଙ୍କ ବଡ଼ ଝିଅ ମୁଖାଗ୍ନି ଦେଇଥିଲେ । କରୋନା ଆକ୍ରାନ୍ତ ହୋଇଥିବା ସ୍ୱର୍ଗତ ଦାସଙ୍କର ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।

୧୯୪୯ ମସିହା ଜାନୁଆରି ୨୦ ତାରିଖ ଦିନ ସେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଜନ୍ମ ଗ୍ରହଣ କରିଥିଲେ ।ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ହାସଲ କରିବା ପରେ ୧୯୭୬ ମସିହାରେ ପ୍ରଥମେ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।ଏହାପରେ ସେ ଅଭିମାନ, ଗୌରୀ, ବଳିଦାନ, ଗୋଲାମଗିରି, ଏ ନୁହେଁ କାହାଣୀ, ଫୁଲଚନ୍ଦନ, ହାକିମବାବୁ, ସହରୀବାଘ, ମମତାର ଡୋରି, ଏଇ ତ ଦୁନିଆ, ତୁଣ୍ଡବାଇଦ, ମୁଁ ତୁମେ ଓ ସେ, ପ୍ରେମଋତୁ ଆସିଲାରେ, ଆମ ଭିତରେ କିଛି ଅଛି ଏବଂ ଅଭିମନ୍ୟୁ ଭଳି ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହାକିମବାବୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ସେହି ଚଳଚ୍ଚିତ୍ର ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ନିଜେ ମଧ୍ୟ ଅଜିତ୍ ନାମରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ବହୁ ନୂତନ କଳାକାର ସୃଷ୍ଟି କରିଥିଲେ ।

.........................