ଜାତୀୟ ରାଜପଥରୁ ଲୁଟ କରୁଥିବା ୩ ଲୁଟେରା ଗିରଫ, ଟଙ୍କା ସହ ୩ ମୋବାଇଲ ଜବତ

FMODIA.IN 30-06-2020

ଧର୍ମଶାଳା,30 ଜୁନ୍ :୧୬ ନମ୍ବର ଜାତୀୟ ରାଜପଥରେ କଟକରୁ ଫେରୁଥିବା ଜଣେ ଯୁବକଙ୍କୁ ୪ ଜଣ ଲୁଟେରା ଅଟକାଇ ମାଡ ମାରିବା ସହିତ ତାଙ୍କ ନିକଟରୁ ଅନେକ ସାମଗ୍ରୀ ଲୁଟ କରିନେଇଯାଇଥିଲେ । ବଡଚଣା ପୁଲିସ ୩ଟି ମୋବାଇଲ ଓ ୧୧୨୦୦ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଆରକେଡି କମ୍ପାନୀ ନିକଟରୁ ଏହି ଲୁଟ ଚଳିତ ମାସ ୨୪ ତାରିଖରେ ହୋଇଥିଲା । ତେବେ ପରଦିନ ସଂପୃକ୍ତ ଯୁବକ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ପ୍ରିୟବ୍ରତ ରାଉତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଯେଉଁ ୩ଟି ମୋବାଇଲ ଚୋରି ହୋଇଥିଲା ସେହି ମୋବାଇଲ ନମ୍ବରକୁ ପୁଲିସ ଆଧାର କରି ୪ ଜଣ ଲୁଟେରାଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । କଟକରୁ ନିଜ ସମ୍ପର୍କୀୟଙ୍କୁ ଦେଖା କରି ରାତି ପ୍ରାୟ ୧୧ଟାରେ ଉକ୍ତ ଯୁବକ ଫେରୁଥିବା ବେଳେ ଛତିଆ ନେଳିଆ ପେଟ୍ରୋଲ ପମ୍ପ ନିକଟରେ ରହି ଚାହା ପିଇଥିଲେ । ପରେ ନିଜ ପଲସର ବାଇକରେ ଯୁବକ ଜଣକ ଜାତୀୟ ରାଜପଥରେ ଆସୁଥିବା ବେଳେ ୪ ଜଣ ଲୁଟେରା ତାଙ୍କୁ ପିଛା କରି ଆରକେଡି କମ୍ପାନୀ ନିକଟରେ ଅଟକାଇ ମାଡ ମାରିବା ପରେ ତାଙ୍କ ମନିପର୍ସ ଏବଂ ୩ଟି ମୋବାଇଲକୁ ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଲୁଟେରାମାନେ ହେଲେ ବୈରୀ ଥାନା ନେଳିଆ ଗାଁର ପ୍ରହଲ୍ଲାଦ ସ୍ୱାଇଁ(୪୦)ଓରଫ କାଳିଆ,ହୃଷିକେଶ ବେହେରା(୩୨) ଓରଫ ବିଦୁନା ଏବଂ ଫତେଗଡ ଥାନା ଅନ୍ତର୍ଗତ ଧଳାବନ୍ଧ ଗାଁର ଶ୍ରୀଧର ସ୍ୱାଇଁ(୩୦) ଓରଫ ସିରିଆ ବୋଲି ପୁଲିସ ସୂଚନା ଦେଇଛି । ଏମାନେ ବ୍ୟବହାର କରୁଥିବା ପଲସର ଗାଡିକୁ ବଡଚଣା ପୁଲିସ ଜବତ କରିଛି । ଏହି ୩ ଲୁଟେରା ଚଣ୍ଡିଖୋଲ ଅଂଚଳରେ ବୁଲୁଥିବା ବେଳେ ଥାନାଧିକାରୀ ଶ୍ରୀ ରାଉତ ଏବଂ ଏସଆଇ ଜ୍ୟୋତିରଞ୍ଜନ ମହାପାତ୍ର ସଦଳବଳେ ଗିରଫ କରିଥିଲେ । ତେବେ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଛି ଏବଂ ତାକୁ ଯଥା ସମ୍ଭବ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।