ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଠକେଇ : ଯୁବକ ଗିରଫ

FMODIA.IN 29-07-2020
Cheating : 1 arrest

ମାଲକାନଗିରି, 29 ଜୁଲାଇ : ଏମଭି - ୯୬ ଗାଁ ସ୍ଥିତ ଏକ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ରରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମାନ୍ୟମକୋଣ୍ଡା ପଞ୍ଚାୟତ ପିଣ୍ଡି କୋଣ୍ଡା ଗାଁର ମୁକେ ସୋଡି ୮ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ମାଲିକ ମୁକେଙ୍କୁ ଉକ୍ତ ଟଙ୍କା ଫେରାଇଛନ୍ତି ।
ସୂଚନା ଅନୁସାରେ, ପିଣ୍ଡି କୋଣ୍ଡା ଗାଁର ଗଙ୍ଗା ସୋଡିଙ୍କ ସ୍ତ୍ରୀ ମୁକେ କିଛି ମାସ ତଳେ କେନ୍ଦୁପତ୍ର ସଂଗ୍ରହ କରି ରେଞ୍ଜ କାର୍ଯ୍ୟାଳୟ ବିକ୍ରି କରିଥିଲେ । ବିକ୍ରି ବାବଦକୁ ୧୦ ହଜାର ଟଙ୍କା ମୁକେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଜମାଖାତାକୁ ପଠାଇ ଦିଆଯାଇଥିଲା । ଆକାଉଣ୍ଟରେ ଟଙ୍କା ଆସିଥିବା ଜାଣିବାକୁ ପାଇଥିଲେ ମୁକେ । ଟଙ୍କା ଉଠାଇବା ପାଇଁ ପୁଅକୁ ସାଙ୍ଗରେ ନେଇ ଗତ ଜୁନ୍ ୧୬ ତାରିଖରେ ମୁକେ ଏମଭି - ୯୬ ଗାଁ ଛକରେ ଥିବା ଗ୍ରାହକ ସେବାକେନ୍ଦ୍ରକୁ ଯାଇଥିଲେ । ମାଲିକ ସରୋଜିତ ମଣ୍ଡଳ ଏବଂ କର୍ମଚାରୀ ଶିବ ଜାଲି ମୁକେଙ୍କ ଖାତା ଯାଞ୍ଚ କରିବା ପରେ ୧୦ ହଜାର ଟଙ୍କା ଥିବା କହିଥିଲେ । ମୁକେ ତାଙ୍କ ଖାତାରୁ ୮ ହଜାର ଟଙ୍କା ଉଠାଇବାକୁ ସରୋଜିତଙ୍କୁ କହିଥିଲେ । ଟଙ୍କା ଉଠାଇବା ପାଇଁ ସରୋଜିତ କର୍ମଚାରୀଙ୍କୁ କହିଥିଲେ । ତେବେ ସରଭର ଡାଉନ୍ ଓ ନେଟ୍ ସ୍ଲୋ ଥିବା ଦର୍ଶାଇ ପରଦିନ ଆସିବାକୁ କର୍ମଚାରୀ ଜଣକ ମୁକେଙ୍କୁ କହିଥିଲେ । ଜୁନ୍ ୧୭ ରେ ପୁଣି ମୁକେ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ଖାତାରେ ଟଙ୍କା ନଥିବା କହିଥିଲେ ଜନସେବା କେନ୍ଦ୍ରର କର୍ମଚାରୀ । ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମାଖାତାକୁ ଫେରି ଆସିବ କହି ମୁକେଙ୍କୁ ପଠାଇ ଦେଇଥିଲେ । ତେବେ ଦୀର୍ଘ ଦିନପରେ ବି ଜମାଖାତାକୁ ଟଙ୍କା ଫେରି ନଥିଲା । ଏହାକୁ ନେଇ ଶୁକ୍ରବାର ମୁକେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଯାଇ ଖାତା ଯାଞ୍ଚ କରିଥିଲେ । ଜନସେବା କେନ୍ଦ୍ରରୁ ତୁମ ଟଙ୍କା ଦେଢ ମାସ ତଳେ ଉଠାଯାଇଥିବା ବ୍ୟାଙ୍କ କର୍ତ୍ତୁପକ୍ଷ କହିଥିଲେ । ଏ ସମ୍ପର୍କରେ ମୁକେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ କେତେକ ଗ୍ରାମବାସୀ ଜନସେବା କେନ୍ଦ୍ରରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଜନସେବା କେନ୍ଦ୍ର ମାଲିକ ସରୋଜିତ, ମୁକେ ଓ ତାଙ୍କ ସାଙ୍ଗରେ ଯାଇଥିବା ଗ୍ରାମବାସୀଙ୍କୁ ଭୁଲ୍ ମାଗି ଏଭଳି ଆଉ କେବେ କରିବେନି ବୋଲି ନିଜ ଭୁଲ ସ୍ବୀକାର କରିଥିଲେ । ପରେ ମୁକେଙ୍କୁ ୮ ହଜାର ଟଙ୍କା ପ୍ରଦାନ କରିଥିଲେ ।
ସେହିପରି ମୋଟୁ ଥାନା ଅନ୍ତର୍ଗତ ମାଡ଼ତାଳଗୁଡା ଗ୍ରାମରେ ନିଜକୁ ଫିନୋ ବ୍ୟାଙ୍କର କର୍ମଚାରୀ କହି କାଳିଆ ଯୋଜନାରେ ତୁମ ମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା କହି ସରଜିତ ଗାଁର 41 ଜଣ ଲୋକଙ୍କ ଠାରୁ ସେମାନଙ୍କ ଜମି ପଟା, ଆଧାରକାର୍ଡ଼, ଟିପଚିହ୍ନ ଆଦି ନେବା ସହ ଅନ୍ୟ 90 ଜଣଙ୍କ ଠାରୁ ଦରକାରୀ କାଗଜ ପତ୍ର ଓ ୧00 ଟଙ୍କା ଲେଖାଏଁ ନେଇଥିଲେ । ଗାଁରୁ ଯିବାର ଦୁଇ ଘଣ୍ଟା ପରେ ଟିପ ଚିହ୍ନ ନେଇଥିବା 41 ଲୋକଙ୍କ ଖାତାରୁ ୨ ହଜାର ଟଙ୍କା ଲେଖାଏଁ କଟିଥିବାର ମେସେଜ ଆସିଥିଲା । ପରେ ସେମାନେ ସରଜିତଙ୍କୁ ଫୋନ କରିଥିଲେ ହେଲେ ସେ ଉଠାଇନଥିଲେ । ସେ ଏହି ସବୁ ଟଙ୍କାକୁ ନିଜର ପିଏନବି ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଥିଲେ । ଏହି ଠକେଇ ବିଷୟରେ ଗ୍ରାମବାସୀ ମାନେ ମୋଟୁ ଥାନାରେ ଏତଲା ଦେବା ପରେ ପୋଲିସ ଆଜି ସରଜିତ୍ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେ ବ୍ୟବହାର କରୁଥିବା ଲାପଟପକୁ ଜବତ କରି ତଦନ୍ତ ଜାରୀ ରଖିଛି ।