ଦୁଇ କାଠ ବେପାରୀଙ୍କୁ ଚମ୍ପଟ୍ ମାରିବାରେ ସହଯୋଗ କଲା ବନ ବିଭାଗ

FMODIA.IN 30-06-2020

ଜୟପୁର, 30 ଜୁନ୍ : ଦୁଇ କାଠ ବେପାରୀଙ୍କୁ ବନ ବିଭାଗ ଚମ୍ପଟ୍ ମାରିବାରେ ସହଯୋଗ କରିଥିବା ବିଷୟ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଜୟପୁର ଜୟନଗର ଚିଲିଗୁଡା ଠାରେ ବିପୁଳ ପରିମାଣରେ ଚୋରା କାଠ ସହ ନକଲ ବିଦେଶି ମଦ ବଟଲିଙ୍ଗ ୟୁନିଟ ଠାବ କରିଥିଲା ଜୟପୁର ବନ ବିଭାଗ । ମଦ ବଟଲିଙ୍ଗ ଠାବ ପରେ ଟାଉନ ପୋଲିସକୁ ଖବର ଦେଇଥିଲା ବନ ବିଭାଗ । ତେବେ ଚୋରା କାଠ ଓ ନକଲି ମଦ ଜବତ କରିବା ପରେ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ମାମଲା ରୁଜୁ କରିବାକୁ ପୋଲିସ ପାଖରେ ଜିଦ ଧରିଥିଲେ ବନ ବିଭାଗର କିଛି ଅଧିକାରି । ତେବେ ଅଭିଯୁକ୍ତକୁ ଗିରଫ କରିବେ କଣ ୨ ଅଭିଯୁକ୍ତ ଏମିତି ଚକମା ଦେଇ ଖସି ଗଲେ ଯେ ଶେଷରେ ଖାଲି ହାତରେ ଫେରିଲେ ବନ କର୍ମଚାରି ।
ରବିବାର ସକାଳ ସାଢେ ୭ଟାରୁ ଅପରେସନ ଆରମ୍ଭ ହୋଇ ସାଢେ ୧୧ ଟାରେ ଶେଷ ହୋଇଥିଲା । ୪ ଘଣ୍ଟା ଧରି ବିନ ବିଭାଗ ଅଭିଯୁକ୍ତ ମାନଙ୍କୁ ଖୋଲା ଖୋଲି ଛାଡି ଦେଇଥିଲା । ସେମାନଙ୍କୁ ଘରର କୌଣସି କୋଠରିରେ ବନ୍ଦ କରି ନଥିଲା କିମ୍ବା କୌଣସି କର୍ମଚାରୀକୁ ଜଗାଇନଥିଲା । ୮ରୁ ୧୦ ବନ କର୍ମଚାରୀ ଯାଇ ସେମାନଙ୍କୁ ଧରି କଣ ଖସାଇଦେଲେ । ଘଟଣାର ୪୮ ଘଣ୍ଟା ପରେ ବନ ବିଭାଗଙ୍କ ହାତ ଖାଲି । ଆଉ ବନ ବିଭାଗ ଏପରି ଖାମ ଖିଆଲି କି ଅଭିଯୁକ୍ତକୁ ଅନୁକମ୍ପା ନା ଦାୟିତ୍ୱହିନତାକୁ ନେଇ ବୁଦ୍ଧିଜିବୀ ମହଲରେ ଉଠୁଛି ପ୍ରଶ୍ନ ।
ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ଚୋରା କାଠ ଓ ଉପକରଣ ରଖାଯାଇଥିବା ଖବର ପାଇ ସେଠାରେ ସଦଳବଳେ ଚଢ଼ଉ କରିଥିଲେ । ୨ଟି ଘର ଉପରେ ଚଢଉ ହୋଇଥିଲା । କାଠକୁ ଧରିବା ସମୟରେ ନକଲି ମଦ କାରଖାନା ଠାବ କରାଯାଇଥିଲା । ଖବର ପାଇ ଟାଉନ ଥାନା ଅଧିକାରି ସେଠାରେ ପହଞ୍ଚି ନକଲି ମଦ ଜବତ କରିଥିଲେ । ୨ଟି ଘରୁ ଶାଳ, ପିଆଶାଳ କାଠ ସାଙ୍ଗକୁ ନକଲି ମଦ ଜବତ ହୋଇଥିଲା । ଏହି ଅଭିଯୁକ୍ତ ମାନେ ୪ଟି ବ୍ରାଣ୍ଡରୁ ଅଧିକ ନକଲି ମଦ ବିକ୍ରି କରୁଥିଲେ । ତେବେ ଉପସ୍ଥିତ ବନ ଅଧିକାରିଙ୍କୁ ଚକମା ଦେଇ ଖସିଯିବାରେ ସଫଳ ହୋଇଥିଲେ ଦୁଇ ଅଭିଯୁକ୍ତ ମହେନ୍ଦ୍ର ସ୍ୱାଇଁ ଓ ଲମ୍ବୋଦର ସ୍ୱାଇଁ । ତେବେ ଏମାନେ ଖସି ଗଲେ ନା ଏମାନଙ୍କୁ ଖୋଦ ବନ କର୍ମ ଚାରି ଖସାଇଦେଲେ । ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗ ପକ୍ଷରୁ ଘଟଣାରେ ସ୍ତ୍ରୀ ସୁଲୋଚନା ସାହୁକୁ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସ୍ୱାମୀ ଫେରାର୍ ଅଛି । ଏନେଇ ଡିଏଫଓ ଜେ. ପି. ସିଂ ଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ଜାଣିବା ପରେ ଏସିଏଫଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨ଟି ଘର ଯାଞ୍ଚ କରିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଏହି ଚଢଉରେ ୪୦ ସିଟ୍ ସାଗୁଆନ ଓ ବିଜା କାଠ, ସ୍କର୍ପିଓ ଗାଡି ଜବତ କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଟାଉନ ଥାନାରେ ଏତଲା କରାଯାଇଛି । ହେଲେ ସାଧାରଣଲୋକେ ଘଟଣାକୁ ନେଇ ବନ କର୍ମଚାରିଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ତେଣୁ ଏହାର ଏକ ଉଚ୍ଚସ୍ତରିୟ ତଦନ୍ତ କଲେ ସବୁ କଥା ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଇଛି ।