କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯୋଗାଯାଉଛି ଗୁଟ୍ଖା-ମଦ

FMODIA.IN 23-05-2020
Gutkha-wine is being supplied to the quarantine center

ଭଦ୍ରକ, 23 ମଇ : ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କୁ ଖସି କରି ଭୋଟ ରାଜନୀତି ଆରମ୍ଭ କରିଛନ୍ତି ରାଜନେତା । ଏହି ଭୋଟ ରାଜନୀତି ଏତେ ଚରମ ସୀମାରେ ପହଂଚିଛି ଯେ ତିହିଡି ଥାନାରେ ଏତଲା ସହ ମାଜିଷ୍ଟେ୍ରଟ୍ଙ୍କ ଚଢଉ ପରେ ବହୁ କେନ୍ଦ୍ରରୁ ବହୁ ଗୁଟ୍ଖା, ପାନ, ପାନ ମସଲା, ଆମ୍ବ, ଚାଖଣା ଜବତ ହୋଇଛି । ଗୋଟିଏ କେନ୍ଦ୍ରରୁ ଏହା ଜବତ ହୋଇଥିବାବେଳେ ଆଉ ଗୋଟିଏ କେନ୍ଦ୍ରରୁ ବିଦେଶୀ ମଦ ବି ଜବତ ହୋଇଛି । ଯାହାକି ଏବେ ସାରା ଜିଲାର ଚର୍ଚ୍ଚାର ବିଷୟ ହୋଇଛି । ତିହିଡିକୁ ପର୍ଯ୍ୟାପ୍ତ ପ୍ରବାସୀ ଫେରିବାରୁ ଜାଗା ଅଭାବ ଦେଖା ଦେଇଥିଲା । ପ୍ରବାସୀଙ୍କୁ ଥଇଥାନ କରିବା ପାଇଁ ତିହିଡି ବିଡିଓଙ୍କ ନିବେଦନ ପରେ ତିହିଡି ଆଇଟିଆଇ ନିଜ ଗେଟ୍ ଖୋଲି ଦେଇଥିଲା । ୪୦ ଜଣ ଲୋକଙ୍କୁ ତିହିଡି ଆଇଟିଆଇ ସିଟ୍ ଦେବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ପ୍ରୟାସ । ପ୍ରଥମ ପର୍ଯ୍ୟାୟରେ ୪ ଜଣ ପ୍ରବାସୀଙ୍କୁ ଏହି ଆଇଟିଆଇରେ ରଖାଯାଇଥିଲା । ଅମ୍ପନ ବାତ୍ୟା ରାତିରେ ଚାଲିଯିବା ପରେ ଏହି ୪ ଜଣ ପ୍ରବାସୀଙ୍କୁ ଅଚକ ପଂଚାୟତର ଜଣେ ରାଜନେତା ଅଧବସ୍ତାଏ ଗୁଟୁଖା, ଆମ୍ବ, ପାନ ମସଲା, ପାନ, ଚେନାଚୁର, କଦଳୀ, ପାଉଚ ମୁଗଭାଜି ଆଦି ନେଇ ତିହିଡି ଆଇଟିଆଇ କେନ୍ଦ୍ରରେ ପହଂଚିଥିଲେ । ସରକାରଙ୍କ ଗାଇଡ୍ ଲାଇନ୍ ଥିଲା କୌଣସି ବାହାର ଖାଦ୍ୟ ଅନ୍ତେବାସୀଙ୍କୁ ଦିଆଯିବ ନାହିଁ । ଏହାକୁ ଫାଙ୍କି ରାଜନେତା ଜଣଙ୍କ ଅଧ ବସ୍ତାଏ ଗୁଟଖା, କଦଳୀ, ଆମ୍ବ, ପାନ ପହଂଚାଇବାରୁ ଆଇଟିଆଇ କର୍ତୃପକ୍ଷ ଏହାକୁ ଘୋର ବିରୋଧ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସଂପୃକ୍ତ ରାଜନେତା ଆକ୍ରମଣ ଧମକ ଦେବା ସହ ସେଠାରେ ତୁମ୍ବି ତୋଫାନ୍ କରିଥିଲେ । ଗାଁର ନେତାଙ୍କୁ ହାତକରି ୪ ଜଣ ଅନ୍ତେବାସୀ ହୋ ହାଲା କରି ଚିକାର କରିଥିଲେ । ଆଇଟିଆଇ ମାଲିକ ତିହିଡି ଥାନାରେ ଲିଖିତ ଅଭିଯୋଗ ସହ ତିହିଡି ବିଡିଓଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ । ବିଡିଓ ରମେଶ ପଣ୍ଡା ଓ ପୁଲିସ୍ ସେହି ସଙ୍ଗରୋଧ କେନ୍ଦ୍ରରେ ଚଢଉ କରିବା ପରେ ଅଧ ବସ୍ତାଏ ଘରୋଇ ଜିନିଷ ଉଦ୍ଧାର ହୋଇଥିଲା । ତୁରନ୍ତ ଏହି ୪ ଜଣ ଅନ୍ତେବାସୀଙ୍କୁ ତିହିଡି ଆଇଟିଆଇରୁ ବାହାର କରି ବାହାବଳପୁର ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ସେହିପରି ଅନ୍ୟ ଏକ ସଙ୍ଗରୋଧ କେନ୍ଦ୍ରରୁ ବିଦେଶୀ ମଦ ଜବତ ହେବା ମଧ୍ୟ ଚର୍ଚ୍ଚାରେ ବିଷୟ ହୋଇଛି ।