କେତକୀ ବନରେ ପଂଚୁପାଣ୍ଡବ ମନ୍ଦିର ଅବହେଳିତ ଅବସ୍ଥାରେ : ଅଜ୍ଞାତବାସ ସମୟରେ ଲୁଚି ରହିଥିଲେ ପାଂଚ ଭାଇ : ସାତ ଶନିବାର ଯୁଧିଷ୍ଠିରଙ୍କୁ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୁଏ

FMODIA.IN 29-01-2020
Panchu pandaba temple in Puri neglected

ପୁରୀ, 29 ଜାନୁଆରୀ-- ପୁରୀ ସହର ଠାରୁ ୧୦ କିଲୋମିଟର ଦୂରରେ ରହିଛି ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଗ୍ରାମ ଉତରହଣା । ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟବ୍ରିଜ ପାଖ ନଦୀବନ୍ଧ ରାସ୍ତାରେ ଗଲେ ଶାସନ ଦାମୋଦରପୁର ଅନତି ଦୂରରେ ପଡେ ଉତରହଣା ଗ୍ରାମ । ସେହିପରି ଚନ୍ଦନପୁର ବଜାରଠାରୁ ବୀରବଳଭଦ୍ରପୁର ଶାସନ ଗ୍ରାମ ଦେଇ ୬ କିଲୋମିଟର ଗଲେ ପଡିବ ଏହି ଗ୍ରାମ । ପଂଚୁପାଣ୍ଡବ ଓ ଦ୍ରୌପଦୀ ଅଜ୍ଞାତ ବାସ ସମୟରେ ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲେ । ଏହି ସମୟରେ କେତେକୀ ବଣ ଭିତରେ ରହିଥିବା ଉତରହଣା ଗ୍ରାମରେ ପଂଚୁପାଣ୍ଡବ ଓ ଦ୍ରୌପଦୀ ଗୋଟିଏ ରାତି ରହିଥିଲେ ବୋଲି କଥିତ ଅଛି । ସେହିଠାରେ ପଂଚ ମହାଦେବ ଓ ଦ୍ରୌପଦୀଙ୍କ ମନ୍ଦିର ରହିଛି । ମନ୍ଦିର ଉପରକୁ ଉଚ୍ଚତା ଯେତିକି ତଳକୁ ମଧ୍ୟ ସେତିକି ଦୂରତ୍ୱରେ ଲିଙ୍ଗ ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଠାକୁରଙ୍କ ମହିମା ଅନେକ । ଗ୍ରାମର ଯେକୌଣସି କାମରେ ଠାକୁରଙ୍କୁ ମୁଣ୍ଡିଆମାରି ଗଲେ ସଫଳ ହୋଇଥାନ୍ତି । ବହୁବର୍ଷ ତଳୁ ଏଠାରେ ଅନେକ ମୂନିଋଷି ଆସି ତପସ୍ୟା କରୁଥିଲେ । ବ୍ରହ୍ମଗିରିର ଖାଣ୍ଡବ ବନରେ ପଂଚୁପାଣ୍ଡବ ବିଭିନ୍ନ ଦୂରତ୍ୱରେ ରହିଥିବା ବେଳେ ଏହିଠାରେ ହିଁ ସମସ୍ତେ ଏକାଠି ରହି ପରେ ବିଭିନ୍ନ ଆଡକୁ ଯାଇଥିବା କୁହାଯାଇଛି । ସେତେବେଳେ ଚାରିପଟ କିଆଗଛର ବେଷ୍ଟନି ଭିତରେ ରହିଥିଲା । ଚାରିପଟ ଘଂଚ ଜଙ୍ଗଲ ରହିଥିଲା । କିଆ, କେତେକୀ, ଆମ୍ବ, ଲଙ୍କାଆମ୍ବ, ପଣସ ଆଦି ଜଙ୍ଗଲ ଭିତରେ ରହିଥିଲା ଏହି ପୀଠ । ଏହି ପୀଠରେ ପଂଚ ଠାକୁର ଓ ଦ୍ରୌପଦୀଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏଠାରେ ଦୀର୍ଘ ୯ବର୍ଷ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଛି ।

ଠାକୁରଙ୍କ ମହିମା ଅନେକ : ପଂଚ ମହାଦେବ ପାତାଳ ଫୁଟା ଅବସ୍ଥାରେ ରହିଛନ୍ତି । ବର୍ଷକରେ ମାତ୍ର ଗୋଟିଏ ଦିନ ପଙ୍କୋଉଝାଳ ଏକାଦଶୀ ଦିନ ଦର୍ଶନ ଦିଅନ୍ତି । ଠାକୁରଙ୍କୁ ଅବମାନନା କଲେ ସଙ୍ଗେ ସଙ୍ଗେ କ୍ଷତି ଘଟିଥାଏ ବୋଲି ଗ୍ରାମବାସୀ କୁହନ୍ତି । ଠାକୁର ମଧ୍ୟ ଭକ୍ତଙ୍କୁ ଅନେକ ସମୟରେ ଉଦ୍ଧାର କରିଛନ୍ତି । ଜଣେ ବାଳକ କଇଁଚ୍ଛ ଦେଖିବ କହି କୂଅରେ ପଡିଯାଇଥିଲା । ତାର ବାପା ମନ୍ଦିରରେ ରଙ୍ଗ କରୁଥିଲେ । ପୁଅ କୂଅରେ ପଡିଯିବା ଶୁଣି ଠାକୁରଙ୍କୁ ଡାକି ସେ କୂଅ ଭିତରକୁ ଡେଇଁ ପଡିଥିଲେ । ଉଭୟ ବାପ ପୁଅଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିବା ପରେ ଠାକୁରଙ୍କ ମହିମାରୁ ସେମାନଙ୍କର କିଛି ହୋଇନଥିଲା । ସେହିପରି ଅନ୍ୟ ଜଣେ ବାଳକ ଠାକୁରଙ୍କ ଗମ୍ଭୀରାକୁ କଦଳୀ ଆଣିବାକୁ ଯାଇ ଗମ୍ଭୀରା ଭିତରେ ୪୫ ମିନିଟ୍ ଧରି ବୁଡି ରହିଥିଲା । ଗ୍ରାମବାସୀମାନେ ଉଦ୍ଧାର କରି ଠାକୁରଙ୍କୁ ସ୍ମରଣ କରିବାରୁ ସେ ସୁସ୍ଥ ହେବା ସହ ତାକୁ ଏବେ ୨୨ବର୍ଷ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି ।

ହଳଦୀ ଗଣ୍ଠିଆ ନାଗସାପ କାନ୍ଥ କୋରଡରେ ରହୁଥିଲେ : ଠାକୁରଙ୍କ ମହିମାରୁ ମନ୍ଦିର ଚାରିପଟେ ଅନେକ ନାଗସାପ ରହୁଥିଲେ । ସେମାନେ କାହାରି କିଛି କ୍ଷତି କରୁନଥିଲେ । ମନ୍ଦିରର ରୋଷଘର ମାଟି କାନ୍ଥରେ ସାପମାନେ କୋରଡ କରି ଚକି ମାରି ରହୁଥିଲେ । ମନ୍ଦିର ଭିତରେ କୌଣସି ବେନିୟମ ଦେଖାଦେଲେ ଫଁ ଫଁ କରି ଫଣା ଟେକୁଥିଲେ । ଭକ୍ତମାନେ ମୁଣ୍ଡିଆ ମାରିବା ପରେ ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଯାଉଥିଲେ ।

ଠାକୁରଙ୍କୁ ପୂଜା କରୁଥିବା ବ୍ରାହ୍ମଣମାନେ ଦୂରକୁ ପଳାଇଲେ : ପୂର୍ବରୁ ପଂଚ ଠାକୁର ଓ ଦ୍ରୌପଦୀଙ୍କୁ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରୁଥିଲେ । କୌଣସି ବେନିୟମ ହେବାରୁ ସେମାନଙ୍କ ପରିବାରକୁ ଶୂନ୍ୟ ମାଡ ହେଲା । ପରେ ବ୍ରାହ୍ମଣମାନେ ସେହିଗ୍ରାମ ଛାଡି ବୀରବଳଭଦ୍ରପୁର ଗ୍ରାମରେ ରହିଲେ । ପ୍ରଥମରୁ ସେମାନେ ପୂଜା କରୁଥିବାରୁ ଏବେବି ମହାଷ୍ଟମୀ ଦିନ ଦ୍ରୌପଦୀଙ୍କ ଆଗରେ ବଳିପୂଜା କରିବା ପାଇଁ ବ୍ରାହ୍ମଣମାନେ ଆସିଥାନ୍ତି । ଏବେ ସେଠାରେ ମାଳି ମହାପାତ୍ର ନୀତି ନିୟମ ସହ ପୂଜା କରୁଛନ୍ତି ।

କୁରୁକ୍ଷେତ୍ର ମୌଜା ଓ ପଂଚବଟୀ ବନ : ଗ୍ରାମ ନିକଟରେ ରହିଛି କୁରୁକ୍ଷେତ୍ର ମୌଜା । ପଂଚୁପାଣ୍ଡବ ହିଁ ଏହାର ନାମକରଣ କରିଥିବା କୁହାଯାଇଛି । ନିକଟରେ ବି ପଂଚବଟୀ ବଗାୟତ ରହିଛି । କାଳକ୍ରମେ ବଗାୟତରୁ ଗଛସବୁ ଲୋପ ପାଇଗଲାଣି । ନିକଟରେ ଭାର୍ଗବୀ ନଦୀ କୁଳୁ କୁଳୁ ନାଦ କରି ବହିଯାଉଛି ।

ସାତ ଶନିବାର ଯୁଧିଷ୍ଟିଙ୍କୁ ପୂଜାର୍ଚ୍ଚନା : ଆଖପାଖ ଗ୍ରାମରୁ ଠାକୁରଙ୍କ ମହିମା ଜାଣିଥିବା ଭକ୍ତମାନେ ଆସି ସାତ ଶନିବାର ସକାଳୁ ପ୍ରଭୁ ଯୁଧିଷ୍ଠିରଙ୍କ ପୂଜାର୍ଚ୍ଚନା ଓ ପାଣିଲାଗି କଲେ ମନସ୍କମନା ପୂର୍ଣ୍ଣ ହୁଏ ବୋଲି ସେଠାରେ ପୂଜା କରୁଥିବା ପୂଜକ କହିଥିଲେ । ଯେକୌଣସି ମାନସିକ ରଖି ସାତ ଶନିବାରେ ନିଷ୍ଠାର ସହ ଆସି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ । ଏପରିକି କେତେକ ମହିଳା ପୁତ୍ରବତୀ ହୋଇଥିବା କୁହାଯାଇଛି ।

ଶୂନ୍ୟମାଡରେ ବାଉଳି ହେଲେ ବାବାଜୀ : ଗୋଟିଏ ଦିନ ଜଣେ ବାବାଜୀ ଶିବଭକ୍ତ କହି ମନ୍ଦିର ପ୍ରାଙ୍ଗଣରେ ରାତି ଯାପନ କରିଥିଲେ । ଦିନରେ ଗ୍ରାମବାସୀଙ୍କୁ ଡାକି ପ୍ରଭୁ ଭୀମେଶ୍ୱରଙ୍କ ମନ୍ଦିରରେ ପାଣି ଭିତରେ ହାତ ପୁରାଇ ଲିଙ୍ଗ ସ୍ପର୍ଶ କରିବା ସହ ହଇରେ ଭୀମ ତୁ ଏଇଠି ଅଛୁ ବୋଲି କହିଥିଲେ । ତା ପରେ ରାତିରେ ବାବାଜୀ ସେଠାରେ ଶୋଇଥିଲେ । ହଠାତ୍ ରାତି ଅଧରେ ଏକ ବିରାଟକାୟ ଗଦା ତାଙ୍କ ଗୋଡମୁଣ୍ଡରେ ମାଡ ହେଲା । ବିକଟାଳ ରଡ଼ି ଛାଡି ବାବାଜୀ ବାଉଳି ହେଲେ । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ନେଇ କୋଠଘରେ ବସାଇବା ସହ ସକାଳେ ବିଦାୟ ଦେଇଥିଲେ । ବାବାଜୀ ଠାକୁରଙ୍କ ମହିମା ବଖାଣିବା ସହ ମୁଣ୍ଡିଆ ମାରି ଯାଇଛନ୍ତି ଯେ ଆଉ ଫେରିନାହାଁନ୍ତି ।

ପର୍ବ ପର୍ବାଣି : ମନ୍ଦିରରେ ଠାକୁରଙ୍କର ବର୍ଷକଯାକ ବିଭିନ୍ନ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ । ଜାଗର ପର୍ବରେ ଆଖପାଖ ଗ୍ରାମର ଭକ୍ତମାନେ ଆସି ଦୀପ ଜାଳିଥାନ୍ତି । ସେହିପରି ଦଶହରା ସମୟରେ ଷୋଳପୂଜା ଅନୁଷ୍ଠିତ ହୋଇଥାଏ । ସବୁଠାରୁ ଆକର୍ଷଣୀୟ ହୋଇଥାଏ ଦୋଳପୂର୍ଣ୍ଣମୀରେ ପଂଚ ମହାଦେବଙ୍କ ଦୋଳଉତ୍ସବ । ପ୍ରତି ସଂକ୍ରାନ୍ତିରେ ମନ୍ଦିରରେ ଭିଡ଼ ଲାଗିରହିଥାଏ । ଠାକୁରଙ୍କୁ ସକାଳେ ଖଇକୋରା ବାଳଧୂପ, ମଧ୍ୟାହ୍ନରେ ଅନ୍ନଖେଚୁଡି ଭୋଗ ଓ ସନ୍ଧ୍ୟାରେ ପଖାଳ ଭୋଗ ଲାଗି ହୋଇ ପହୁଡ ପଡିଥାଏ ।

ପରମ ବୈଷ୍ଣବୀ ଦ୍ରୌପଦୀ : ପଂଚ ଠାକୁରଙ୍କ ମଝିରେ ରହିଛି ଦ୍ରୌପଦୀଙ୍କ ମନ୍ଦିର । ବିଶେଷକରି ମହିଳା ଭକ୍ତମାନେ ଏହି ମନ୍ଦିରରେ ଅଧିକ ସମୟ ପୂଜାର୍ଚ୍ଚନା କରିଥାନ୍ତି । ବିଭିନ୍ନ ସମୟରେ ଦ୍ରୌପଦୀଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କଲେ ତାହା ସିଦ୍ଧି ହୋଇଥାଏ ବୋଲି ଭକ୍ତମାନେ କହିଛନ୍ତି । ଠାକୁରାଣୀଙ୍କ ପାଖରେ ବେନିୟମ ଚଳେନାହିଁ । ଟିକେ ପୂଜାର୍ଚ୍ଚନାରେ ବିଘ୍ନ ହେଲେ ଠାକୁରାଣୀ ଅନିଷ୍ଠ ଘଟାଇଥାନ୍ତି । ଏପରିକି ଜଣେ ଭକ୍ତ ରାମଲୀଳା ସମୟରେ ହନୁମାନ ବେଶ ଧରି ଗଦା ଧରି ଠାକୁରାଣୀଙ୍କ ମନ୍ଦିର ଉପରକୁ ଚଢିଯାଇଥିଲେ । ଚାରିପଟୁ ଏପରି ଶୂନ୍ୟମାଡ ହେଲା ସେ ରଡ଼ି ଛାଡିବାରୁ ଗ୍ରାମବାସୀମାନେ ତାଙ୍କୁ ମନ୍ଦିରରୁ ତଳକୁ ଆଣିଥିଲେ ।

ସାତଦିନ ଧରି ବିଶ୍ୱଶାନ୍ତି ଯଜ୍ଞ : ୨୦୧୧ ମସିହାରୁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି । ବିଶ୍ୱଶାନ୍ତି କଲ୍ୟାଣ ପାଇଁ ଏହି ଯଜ୍ଞ ପଂଚୁପାଣ୍ଡବ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ଏଠାରେ ସାତ ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶ୍ରୀରାମ କୃପା ପରିଷଦ ଓ ଉତରହଣା ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି । ଶିବପାର୍ବତୀ ବିବାହ, ପଂଚୁପାଣ୍ଡବଙ୍କ ମହିମା, ଶ୍ରୀରାମଙ୍କ ମହିମା ସଂପର୍କରେ ପ୍ରବଚକମାନେ ଆର୍ଶିବଚନ ପ୍ରଦାନ କରିଥାନ୍ତି । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଗତ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହୋଇଛି । ଏହା ଆଗାମୀ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ସୁନ୍ଦରାକାଣ୍ଡ, ଅଶୋକ ବନରେ କାନ୍ଦୁଛି ସୀତା, ଉଡନ୍ତା ହନୁମାନ ଓ ଜୀବନ୍ତ ଘୋଡ଼ା ନାଟକ ପରିବେଷଣ କରାଯାଇଛି । ଏଥିରେ ଗ୍ରାମର ସଂପାଦକ କୁମର ବିଶ୍ୱାଳ ଓ ଉପସଂପାଦକ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଏବେ ପଂଚୁପାଣ୍ଡବଙ୍କ ଏହି ପାରାୟଣ ଦେଖିବା ପାଇଁ ଅନେକ ଭକ୍ତ ଗ୍ରାମକୁ ଯାଉଛନ୍ତି ।

ରାସ୍ତା ଅବସ୍ଥା ଶୋଚନୀୟ : ପୁରାଣ ପ୍ରସିଦ୍ଧ ଏହି ପୀଠର ପୁନରୁଦ୍ଧାର ପାଇଁ କୌଣସି ରାଜନେତା ମନ ବଳାଇନଥିବା କୁହାଯାଉଛି । ମଙ୍ଗଳାଘାଟ ବ୍ରିଜଠାରୁ ୧୦ଫୁଟିଆ ରାସ୍ତାଟିଏ ଲମ୍ବିଯାଇଛି । ଏହି ରାସ୍ତାକୁ ପ୍ରଶସ୍ତିକରଣ କରିବା ସହ ବିଭିନ୍ନ ସ୍ଥାନରେ ପଂଚୁପାଣ୍ଡବଙ୍କ ପୀଠ ଫଳକ ମାରିବା ଓ ତୋରଣରେ ସଜାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହାସହ ମନ୍ଦିରର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ, ଭକ୍ତ ରହିବା ପାଇଁ ଗୃହ, ମେଳନ ପଡିଆର ପୁନରୁଦ୍ଧାର ପାଇଁ ଦାବି ହୋଇଛି । ଏହି ଗ୍ରାମଟି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ରହିଥିବାରୁ ବ୍ରହ୍ମଗିରିର ରାଜନେତାମାନେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଭକ୍ତମାନେ ଦାବି କରିଛନ୍ତି ।

ପର୍ଯ୍ୟଟନସ୍ଥଳୀ ପାଇଁ ଦାବି : ଏତେ ସୁନ୍ଦର କମନୀୟ ଓ ପଂଚୁ ପାଣ୍ଡବଙ୍କ ସହ ଦ୍ରୌପଦୀଙ୍କ ମନ୍ଦିର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେନାହିଁ ବୋଲି ପୁରୁଖା ଲୋକମାନେ କହିଛନ୍ତି । ଏହି ପୀଠକୁ ଉନ୍ନତି କରିବା ସହ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନଦେଲେ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏହି ପୀଠ ଦର୍ଶନ କରି ବ୍ରହ୍ମଗିରିର ଅତିବଡୀ ପୀଠ, ବାଲିହରଚଣ୍ଡୀ ପୀଠ, ଶ୍ରୀଅଲାରନାଥ ପୀଠ ଦେଇ ଚିଲିକା ଦର୍ଶନରେ ଯାଇପାରନ୍ତେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।(ହି.ସ.)