ତୃତୀୟ ଦିନରେ ରଥଖଳା ହାଲଚାଲ୍‌ : ତୁମ୍ବ ବିନ୍ଧ, ଅରକଂଟା, ପନ୍ଦାରି ଓ କଣଗୁଜ ପ୍ରସ୍ତୁତି ହେଉଛି : ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି

FMODIA.IN 11-05-2020
Rath khala work, Third day

ପୁରୀ, 11 ମଇ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ରବିବାର ତୃତୀୟ ଦିନରେ ପହଂଚିଛି । ରଥଖଳାରେ ବିଶ୍ୱକର୍ମା ମହାରଣା, ରୂପକାର ସେବାୟତ, କରତି, ଭୋଇ ସେବାୟତ, କମାର ବା ଓଝା ସେବାୟତମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ତିନୋଟି ରଥର ୪୨ଟି ଚକ ପାଇଁ ପ୍ରଥମ ପର୍ଯ୍ୟାୟର ୪୨ଟି ତୁମ୍ବ ପ୍ରସ୍ତୁତ କରାଯିବ । ରଥ ଅମିନ ମାପଚୁପ କରି ବଡ ଗୋଲେଇ ଥିବା କାଠ ଗଣ୍ଡିରେ ଦାଗ ଦେବା ପରେ କରତିଆମାନେ ଏହି ଫାସୀକାଠକୁ ତୁମ୍ବ ପାଇଁ କାଟିଥିଲେ । ପରେ ମହାରଣାମାନେ ତୁମ୍ବ ସାଇଜ୍ କରିବା ସହ ତୁମ୍ବରେ କଳାସୂତା ବାଡେଇ ଅରବିନ୍ଧ ପାଇଁ ପ୍ରସ୍ତୁତି କରିଥିଲେ । ଗୋଟିଏ ତୁମ୍ବରେ ୧୬ଟି ଅର ଲାଗିବ । ଗୋଟିଏ ଅରର ଦୁଇଟି ଶାଖା ପାଇଁ ୩୨ଟି ଅରବିନ୍ଧ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨ଟିରୁ ଅଧିକ ତୁମ୍ବ ପ୍ରସ୍ତୁତି ହୋଇଛି । ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତି ରଥର ଦୁଇଟି ଚକ ଓ ଅଖ ସଂଯୁକ୍ତ କରି ଡେରା ଯିବା ପାଇଁ ପ୍ରସ୍ତୁତି ଜୋରଦାର୍ ଚାଲିଛି । ରୂପକାର ସେବାୟତମାନେ ସିଂହ ବିରାଳ ଓ ଗଜ ବିରାଳ ଗୁଜ କାଠରେ ଖୋଦେଇ କରିବାରେ ବ୍ୟସ୍ତ ଅଛନ୍ତି । କଣଗୁଜ ରଥର ବିଭିନ୍ନ ସ୍ଥାନରେ ଖଞ୍ଜାଯିବ । ତୁମ୍ବ ପ୍ରସ୍ତୁତି ପରେ ଅରପଟାକୁ ସାଇଜ କରାଯାଇ ତୁମ୍ବରେ ବାଡିଆ ଯିବ । ଏଥିପାଇଁ ଭୋଇ ସେବାୟତମାନେ ଯନ୍ତାଗାଡ ପ୍ରସ୍ତୁତ କରି ରଖିଛନ୍ତି । ଏହି ଯନ୍ତାଗାଡ ୪୦ ଫୁଟ ଲମ୍ବ ହୋଇଥିବା ବେଳେ ୧୦ ଇଂଚ ଓଷାର ଓ ୯ ଫୁଟ ଗଭୀର ରହିଛି । ୨ଟି ୪୦ ଫୁଟିଆ ଫାଳି କାଠ ଯନ୍ତାଗାଡ ଦୁଇପଟେ ରଖି ଯନ୍ତାମାଢି ତିଆରି ହୋଇଛି । ତା ଉପରେ ତୁମ୍ବ ରଖି ୧୬ଟି ଅର ବାଡିଆ ଯିବ । ଅର ବାଡିଆ ସରିଲେ ପଇ ବାଡିଆ ହେବ । ଚକ ପ୍ରସ୍ତୁତ ହେବ । ଏହାପରେ ପରେ ଚକରେ ଅଖ ସଂଯୁକ୍ତ କରାଯାଇ ଡେରା ଯିବ ।
ଅନ୍ୟପକ୍ଷରେ ଦୋଳବେଦୀ କୋଣରେ କମାର ଶାଳ ଚଳଚଂଚଳ ହୋଇଉଠିଛି । ପ୍ରଥମ ପର୍ଯ୍ୟାୟରେ ୩୨୦ଟି ଅରକଂଟା ପ୍ରସ୍ତୁତ ହୋଇଛି । ତୁମ୍ବରେ ହେଉଥିବା ଅଖବିନ୍ଧରେ ପନ୍ଦାରି ବାଡିଆ ଯାଇ ପନ୍ଦାରି ଚାବିକଂଟା ବାଡିଆ ହେବ । ତୁମ୍ବ ଶକ୍ତ ରଖିବା ପାଇଁ ତୁମ୍ବ ପନ୍ଦାରି ଲଗାଯିବ ।
ସେହିପରି ଚଳିତ ବର୍ଷ ରଥଖଳାର ଆୟତନକୁ ବୃଦ୍ଧି କରାଯାଇଛି । ମରଚିକା ଠାକୁରାଣୀଙ୍କ ନିକଟରୁ କୃଷ୍ଣ ସିନେମା ଗଳି, ନଅର ଗଳି ସିଲ୍ କରାଯାଇଛି । ଏହାକୁ ନୋ ଏଟିଂ୍ର ଜୋନ୍ ଭାବେ ଘୋଷଣା କରାଯିବା ସହ କୌଣସି ଯାନବାହାନ ପ୍ରବେଶ ନିଷେଧ କରାଯାଇଛି । ଯାହାଫଳରେ ସାହି ବାସିନ୍ଦାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରଥଖଳାକୁ ଧଳା କନା ଦ୍ୱାରା ଆବୃତ କରାଯାଇଛି । କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ତା ଭିତରକୁ ଛଡା ଯାଉନାହିଁ । ଯାହାକି ସାମାଜିକ ଦୂରତା ରକ୍ଷାକରି କାମ ହେଉଛି କି ନାହିଁ ତାହା ଜାଣିବା କଷ୍ଟକର ।
ତେବେ ରଥକାର୍ଯ୍ୟରେ ନିୟୋଜିତ ସେବାୟତମାନେ ମୁହଁରେ ମାକ୍ସ ବାନ୍ଧିଥିବା ଦେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଗ୍ନିଶମ ବିଭାଗ ଗାଡି ରଥଖଳାକୁ ବିଶୋଧନ କରିଛି କି ନାହିଁ ତାହାର କୌଣସି ଦୃଶ୍ୟ ଗଣମାଧ୍ୟମ ପାଖରେ ପହଂଚି ନଥିବା ଜଣାପଡିଛି । ରଥଖଳା ଅଂଚଳର ରହିଥିବା ଦୋକାନଗୁଡିକୁ ବନ୍ଦ କରି ଦିଆଯାଇଛି । ରଥଖଳା ଭିତରକୁ କୌଣସି ସାଧାରଣ ଲୋକଙ୍କୁ ଛଡା ଯାଉନାହିଁ । ଅଧିକ ମହାରଣା ଆସିଲେ ୨ ସିଫ୍ଟରେ ରଥକାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ତତ୍ୱାବଧାରକ ସୁଦର୍ଶନ ମେକାପ ରଥଖଳା ପରିଦର୍ଶନ କରି ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେବାୟତ ମହାରଣା ମାନଙ୍କୁ ପରାମର୍ଶ ଦେଇଛନ୍ତି । ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା ଓ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ତିନି ରଥର ଚକକାର୍ଯ୍ୟ ଜୋର୍ ସୋରରେ ଚାଲିଛି । ୧୫ ତାରିଖ ଶୁକ୍ରବାର ଦିନ ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ । ଭଉଁରୀ ଦିନ ଚକଡେରା ହେବା ବିଧି ରହିଛି । ବିଧି ରକ୍ଷାପାଇଁ ମହାରଣାମନେ ଆପ୍ରାଣ ଚେଷ୍ଟ ଚଳାଇଛନ୍ତି ।