ସଂକଟକୁ ସୁଯୋଗରେ ପରିଣତ କରିବା ଅଷ୍ଟ୍ରେଲିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଡଃ ହର୍ଷବର୍ଦ୍ଧନଙ୍କ ଦ୍ୱିପାକ୍ଷିକ ସ୍ୱାସ୍ଥ୍ୟ ସହଯୋଗ ଓ କୋଭିଡ ପରିଚାଳନା ସଂପର୍କରେ ଆଲୋଚନା

FMODIA.IN 15-07-2020
Converting the crisis into an opportunity Discussion with the Australian Minister of Health on Dr Harshvardhan’s bilateral health cooperation and co-management

ନୂଆଦିଲ୍ଲୀ, 15 ଜୁଲାଇ:କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଗ୍ରେଗରୀ ଆଣ୍ଡ୍ରିଉ ହଣ୍ଟଙ୍କ ସହ ଦ୍ୱିପାକ୍ଷିକ ସ୍ୱାସ୍ଥ୍ୟ ସହଯୋଗ ଓ କୋଭିଡ ପରିଚାଳନା ସଂପର୍କରେ ଡିଜିଟାଲ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଦୁଇଦେଶ ମଧ୍ୟରେ ଗତ 2017ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ପାରସ୍ପରିକ ସ୍ୱାସ୍ଥ୍ୟ ଏବଂ ଭେଷଜ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବାକୁ ଉଭୟ ପକ୍ଷ ଚୁକ୍ତିବଦ୍ଧ । ଏହି ବୁଝାମଣା ଅନୁସାରେ ମେଲେରିଆ, ଟିବି, ମାନସିକ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ବ୍ୟାଧି, ଜୀବାଣୁନାଶକ ବ୍ୟବସ୍ଥା, ଔଷଧପତ୍ରର ନିୟନ୍ତ୍ରଣ, ଟୀକା, ଡାକ୍ତରୀ ଯନ୍ତ୍ରପାତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଇଜେସନ ବ୍ୟବସ୍ଥାରେ ଉଭୟ ପକ୍ଷ ମିଳିମିଶି କାମ କରୁଛନ୍ତି । ଆହୁରି ମଧ୍ୟ ବର୍ତ୍ତମାନର କରୋନା ମହାମାରୀ ଭଳି ଜନସ୍ୱାସ୍ଥ୍ୟଜନିତ ଜରୁରୀ ସ୍ଥିତିରେ ଦୁଇ ଦେଶ ମିଳିତଭାବେ କାମ କରିବା ପାଇଁ ବୁଝାମଣାପତ୍ର ଅନୁସାରେ ଅଧିକୃତ ।

କଥାବାର୍ତ୍ତା ଆରମ୍ଭରେ ଡଃ ହର୍ଷବର୍ଦ୍ଧନ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟମନ୍ତ୍ରୀ ଗ୍ରେଗରି ହଣ୍ଟଙ୍କୁ ତାଙ୍କର ଶିଶୁକଲ୍ୟାଣକାରୀ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ହଣ୍ଟ ନିକଟରେ ଅଟିଜିମ୍ ଏବଂ ଶିଶୁ ଡାଇବେଟିସ୍ ସଂପର୍କରେ ସଚେତନତା ସୃଷ୍ଟି ପାଇଁ 5 କିଲୋମିଟରର ଏକ ବିଶାଳ ଗଣଦୌଡ ଆୟୋଜନ କରିଥିଲେ । ଏହି ଦୁଇ ବ୍ୟାଧିରେ ପୀଡିତ ପିଲାଙ୍କ ପାଇଁ ସଚେତନତା ସୃଷ୍ଟିକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଳିତଭାବେ ଦୁଇଦେଶ କାମ କରିବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଡଃ ହର୍ଷବର୍ଦ୍ଧନ କହିଥିଲେ ଯେ ବିକଶିତ ରାଷ୍ଟ୍ରଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବେଶ୍ ଉତ୍କୃଷ୍ଟ । ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅତି ଦ୍ରୁତଗତିରେ ବୃଦ୍ଧି ପାଉଛି । ଆସନ୍ତା 10 ବର୍ଷ ମଧ୍ୟରେ ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଆକାର 275 ବିଲିୟନ ଡଲାରରେ ପହଞ୍ଚିବ ବୋଲି ସେ କହିଛନ୍ତି । ବିଶ୍ୱ ଅର୍ଥନୀତିରେ ଉତ୍ଥାନପତନ ଆସିଲେ ମଧ୍ୟ ଭାରତୀୟ ଘରୋଇ ଚାହିଦା ଏହି ବିକାଶ ଇଂଜିନକୁ ଚଳାଇ ରଖିବ । ଭାରତ ମଧ୍ୟ ଗବେଷଣା ଓ ଉନ୍ନୟନ ତଥା ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସୁବିଧା ସୁଯୋଗ ସୃଷ୍ଟି କରିଛି । ଅଷ୍ଟ୍ରେଲିଆରେ ପୃଥୁଳତା ଏବଂ ସେହିଭଳି ବ୍ୟାଧିର ନିୟନ୍ତ୍ରଣ ପାଇଁ ଆୟୁର୍ବେଦ ଓ ଯୋଗଭଳି ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଭାରତରେ ସ୍ୱାସ୍ଥ୍ୟ କିପରି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି ଏବଂ ଏ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଷ୍ଟିକୋଣ ସଂପର୍କରେ ଏହି ଅବସରରେ ଡଃ ହର୍ଷବର୍ଦ୍ଧନ ତାଙ୍କ ପ୍ରତିପକ୍ଷ ଶ୍ରୀ ହଣ୍ଟଙ୍କୁ ବଝାଇଥିଲେ । ସେ କହିଥିଲେ ଯେ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥ୍ରା ଆୟୁଷ୍ମାନ ଭାରତ ଯୋଜନାରେ 10 କୋଟି ପରିବାର ଅନ୍ତର୍ଭୁକ୍ତ ହୋଇଛି । ଏହା ମାଧ୍ୟମରେ ଗତବର୍ଷ ଏକକୋଟି ଲୋକ ଉପକୃତ ହୋଇଛନ୍ତି । 2025 ସୁଦ୍ଧା ଭାରତରୁ ଟିବିକୁ ନିର୍ମୂଳ କରିବାର ଲକ୍ଷ୍ୟରଖି କାର୍ଯ୍ୟ ଜୋରସୋର୍ରେ ଚାଲିଛି । ଉଚ୍ଚରକ୍ତଚାପ, ସ୍ତନ, ଫୁସ୍ଫୁସ୍, ଗଳା ଓ ମୁଖଗହ୍ୱର କର୍କଟ ଭଳି ଅଣସଂକ୍ରମିତ ବ୍ୟାଧିକୁ ଚହ୍ନଟ କରିବା ପାଇଁ ଭାରତ ମଧ୍ୟ ଗଣପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିଛି । ସ୍ୱାସ୍ଥ୍ୟ କ୍ଷେତ୍ରର ଆଧୁନିକୀକରଣ ପାଇଁ ଭାରତ ମଧ୍ୟ ଡିଜିଟାଲ ହେଲ୍ଥ ବ୍ଲୁ ପ୍ରିଣ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛି । ଏଥିରେ ଶେଷତମ ବ୍ୟକ୍ତି ଯେପରି ଉପକୃତ ହୁଅନ୍ତି ସେଥି ପାଇଁ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ଅମ୍ରିତ ଯୋଜନାରେ ଗରିବ ଲୋକମାନଙ୍କୁ କ୍ୟାନସ୍ର ଓ ହୃଦ୍ରୋଗ ଚିକିତ୍ସା ପାଇଁ ଶସ୍ତାରେ ଔଷଧପତ୍ର ତଥା ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି । ସେ ମଧ୍ୟ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସରକାର ସମଗ୍ର ଦୃଷ୍ଟିକୋଣ ମାଧ୍ୟମରେ 40 କୋଟି ଲୋକଙ୍କୁ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରାଯାଇ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ।

ଆନ୍ତର୍ଜାତିକ ସମୁଦାୟ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିଶ୍ୱାସ ଏବଂ ଆସ୍ଥା ସ୍ଥାପନ କରିଛନ୍ତି ସେ ସଂପର୍କରେ ଶ୍ରୀ ହଣ୍ଟ କହିଥିଲେ ଯେ ଅଷ୍ଟ୍ରେଲିଆର ୟୁନିଭର୍ସାଲ ଟେଲି ମେଡିସିନ୍ ଏଯାବତ୍ 19 ନିୟୁତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛି । ଏହା ସରକାରୀ ଓ ଘରୋଇ ହସ୍ପିଟାଲ ତଥା ଭିତ୍ତିଭୂମି ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଣ ଉପରେ ଗୁରୁତ୍ୱ ଦେଇଛି । ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ଅବଦାନ ଉଲ୍ଲେଖନୀୟ । ଜେନେରିକ ଔଷଧ ଯୋଗାଣ କ୍ଷେତ୍ରରେ ଭାରତର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିବା ସହିତ ବିଶ୍ୱର ମୋଟ ଔଷଧ ଆବଶ୍ୟକତାର 60 ଶତାଂଶ ଭାରତ ଶସ୍ତାରେ ଯୋଗାଉଥିବା ଉଲ୍ଲେଖ କରିଥିଲେ । ବିରଳ ରୋଗର ଚିକିତ୍ସା ପାଇଁ ନୂଆ ଔଷଧ ବାହାର କରିବାକୁ ଜେନୋମିକ୍ସ ଓ ଷ୍ଟେମ ସେଲ ଟେକ୍ନୋଲଜି ବ୍ୟବହାର ଜନିତ ଗବେଷଣା କ୍ଷେତ୍ରରେ ଭାରତ କିପରି ଅଷ୍ଟ୍ରେଲିଆକୁ ସାହାଯ୍ୟ କରିପାରିବ ସେ ସଂପର୍କରେ ସୂଚନା ଦେଇଥିଲେ ।

କରୋନା ମହାମାରୀର ପରିଚାଳନା ଓ ନିୟନ୍ତ୍ରଣରେ ଭାରତର ଚିକିତ୍ସକ ସମୁଦାୟ ଏବଂ ଚିକିତ୍ସା ବ୍ୟବସ୍ଥା କି ପ୍ରକାର ଭୂମିକା ନିର୍ବାହ କରୁଛି ସେ ସଂପର୍କରେ ସୂଚନା ଦେଇ ଡଃ ହର୍ଷବର୍ଦ୍ଧନ ବିଭିନ୍ନ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଭାରତୀୟ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ବୈଜ୍ଞାନିକଗଣ କୋଭିଡ-19ର ନିୟନ୍ତ୍ରଣ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି । ଭେଷଜ ବୈଜ୍ଞାନିକ ଓ ଚିକିତ୍ସକମାନେ ଏଥିପାଇଁ ନୂଆ ଔଷଧ ବାହାର କରିବା ସହିତ ବର୍ତ୍ତମାନ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧକୁ ଏଥିରେ ସଫଳତାର ସହ ବ୍ୟବହାର କରିପାରୁଛନ୍ତି । ରୋଗ ସଂକ୍ରମଣର ପ୍ରଥାମବସ୍ଥାରେ ସେମାନେ ମଧ୍ୟ ଭୂତାଣୁକୁ ଅଲଗା କରିପାରୁଛନ୍ତି ଏବଂ ଜେନୋମ୍ ସିକ୍ୟୁଏନ୍ସିଂ ପଦ୍ଧତିରେ ଭୂତାଣୁର ଅଧ୍ୟୟନ ଓ ପରୀକ୍ଷା ନିରୀକ୍ଷା କରୁଛନ୍ତି ।