ଏକ ଦୁଃଖôନୀ ମାଆର କରୁଣ କାହାଣୀ

FMODIA.IN 04-06-2020
A sad story of a sad mother

ନୂଆପଡା, ୪ ଜୁନ - ଜୀବନ କାହା ପାଇଁ ଆନନ୍ଦମୟ ତ କାହା ପାଇଁ ଯନ୍ତ୍ରଣା ଦାୟକ । କିଏ ନଭଶ୍ଚୁମ୍ଭି ଅଟ୍ଟାଳିକାରେ ବିଲାସର ଜୀବନ ବିତାଉଛି ତ ଆଉ କିଏ ଗୃହହୀନ ହୋଇ ବୃକ୍ଷ ମୂଳରେ ଦୁଃଖଦ ଜୀବନ ଅତିବାହିତ କରୁଛି । ଠିକ ଯେମିତି ନକୋକନ୍ଦା ଓରଫ ଋକ୍ମଣୀ ରଣାଙ୍କ ସଂଘର୍ଷମୟ ଜୀବନରେ ଦୁଃଖ, କଷ୍ଟ ଛାଡିବାର ନା ଧରୁନି । ଏପରି ଏକ କରୁଣ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ ପଞ୍ଚାୟତର ବଙ୍କାପୁର ଗ୍ରାମରେ । ଗୃହହୀନ ନକୋକନ୍ଦା ଦୀର୍ଘ ୨୦ ବର୍ଷ ଧରି ବଙ୍କାପୁର ଗ୍ରାମର ସ୍କୁଲ ବାରଣ୍ଡାରେ ବସା ବାନ୍ଧି ପଡି ରହିଥବା ବେଳେ କିଏ ତା ପାଇଁ ଆହା କହୁଛି ତ ଆଉ କିଏ ମାଡ ମାରିବା, ଗାଳି କରିବା ଭଳି ଅଭିଯୋଗ ଆସୁଛି । ସେ କିନ୍ତୁ ନିରବ ନିସ୍ୱାର୍ଥ ପ୍ରତିମୁର୍ତିଟିଏ । କାହା ବିରୋଧରେ ତାର କ୍ଷୋଭ ନାହିଁ । ପ୍ରଶାସନ ବିରୋଧରେ ମଧ୍ୟ ଅଭିଯୋଗ ନାହିଁ । ନିର୍ଲିପ୍ତ କାହାଣିରେ ଅନନ୍ତ ଆକାଶକୁ ଅନାଇ ନିଜେ ନିଜେ ପଢୁଛି ତା ଜିବନ ଚରିତ୍ରକୁ । ନକୋକନ୍ଦାର ଜନ୍ମ ବଲାଙ୍ଗୀର ଜିଲ୍ଲା ସିସକେଲା ଗ୍ରାମରେ । ଯୁବତୀ ଅବସ୍ଥାରେ ପେଟ ପୋଷିବା ପାଇଁ ସପରିବାର ଯାଇଥିଲେ କଲାହାଣ୍ଡି ଜିଲ୍ଲାର ମୋହନଗିରି ଗ୍ରାମକୁ । ସେଥି ଭେଟ ହୁଏ ଖଡିଆଳ ବ୍ଲକ ବଙ୍କାପୁର ଗ୍ରାମର ଲଖିଧର ରଣା ସହିତ । ଭେଟ ପରେ ବିବାହର ରୁପ ନିଏ । ବିବାହ ପରେ ନକୋକନ୍ଦା ଖୁସିରେ ଜୁଆର ମାଡିଆସେ । ଯେତେବେଳେ ତାର କୋଳକୁ ଗୋଟିଏ ପରେ ଗୋଟିଏ କରି ତିନି ସନ୍ତାନ ଚାଳିଆସନ୍ତି । ବାସ ତାପରେ ହିଁ ତା ଜୀବନରେ ଆରମ୍ଭ ହୋଇଯାଏ ଘୂର୍ଣ୍ଣିଝଡ । ତାର ହାତଗଢା ସଂସାର ଧିରେ ଧିରେ ଭାଙ୍ଗିବାକୁ ବସେ । ଗୋଟିଏ ପରେ ଗୋଟିଏ କରି ୨ ସନ୍ତାନର ଅକାଳ ମୃତ୍ୟୁ ଘଟେ । ୨ ସନ୍ତାନର ମୃତ୍ୟୁ ପରେ ସନ୍ତପିତ ମାତୃ ହୃଦୟ ଅବଶିଷ୍ଟ ଜୀବନ କାଟିବାର ମନ ନିଏ ଏବଂ ବଡ ଝିଅ ବରୋଖାଇ ଏବଂ ସ୍ୱାମୀର ଯତ୍ନ ନିଏ । କିନ୍ତୁ ଦୁର୍ଯ୍ୟୋଗ କେବେ ଏକା ଆସେ ନାହିଁ । ଥରେ ସ୍ୱାମୀ ଓ କନ୍ୟା ସହ ନିଜ ଶ୍ୱଶୁର ଘରକୁ ଯାଇଥାନ୍ତି ନକୋକନ୍ଦା । ସେଠାରେ ଲଖିଧର କୌଣସୀ କାର୍ଯ୍ୟ ସାରି ଏକାକୀ ଫେରୁଥିବା ସମୟରେ ଏକ ସିମେଂଟ ବୋଝେଇ ଟ୍ରକ ଓଲଟି ପଡିବାରୁ ମୃତ୍ୟୁବରଣ କରନ୍ତି । ଏହି ଖବର ପରେ ନକୋକନ୍ଦାକୁ ମସ୍ତିସ୍କରେ ବ୍ରଜ ପଡିଲା ପରି ଲାଗେ । ସେଠାରୁ ଦୁଃଖରେ ନିଜ ବାପା ଗ୍ରାମ ଫେରିଆସେ ନକୋକନ୍ଦା ନିଜ ଝିଅ ସହିତ । ସ୍ୱାମୀଙ୍କୁ ହରାଇ ପାଗଳି ପ୍ରାୟ ହୋଇଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସାଲେବରଟ ଗ୍ରାମର ସମ୍ପର୍କିୟ ଦିଅର ତାଙ୍କୁ ନିଜର କରି ନିଅନ୍ତି । ଏହି ବିବାହ ମଧ୍ୟ ସ୍ଥାୟୀ ହୋଇ ପାରେନା । ଉକ୍ତ ବ୍ୟକ୍ତିଙ୍କ ଔରସରୁ ଜନ୍ମିତ ୨ ସନ୍ତାନର ମୃତ୍ୟୁ ହୋଇଯିବାରୁ ସେ ନକୋକନ୍ଦାଙ୍କୁ ଘରୁ ତଡି ଦିଅନ୍ତି । ପୁଣି ଅନ୍ୟ ଉପାୟ ନପାଇ ନିଜ ପୈତୃକ ଗ୍ରାମ ବଙ୍କାପୁରକୁ ଫେରି ଆସେ ନକୋକନ୍ଦା । ପନିପରିବା ବିକି ପେଟ ପୋଷୁଥିବା ନକୋକନ୍ଦା ପାଇଁ ଆଉ ଏକ ଦୁର୍ଯ୍ୟୋଗ ଅପେକ୍ଷା କରି ରହିଥାଏ । ରାୟପୁରକୁ କାମ କରିବା ପାଇଁ ଯାଇଥିବା ଝିଅ ବରୋଖାଇ ଏକ ପାଣି ଟାଙ୍କି ଫାଟି ଯିବାରୁ ମୃତ୍ୟୁ ଘଟେ । ଭାଙ୍ଗି ଯାଇଥିବା ସଂସାରକୁ ଭାଳି ଭାଳି ପାଗଳି ହୋଇଯାଏ ନକୋକନ୍ଦା । ଏଣେତେଣେ ଘୁରି ବୁଳୁଥିବା ବେଳେ ପୁଣି ଥରେ ସାଲେବରଟ ଗ୍ରାମର ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଗର୍ଭବତୀ ହେବାକୁ ପଡେ ଏବଂ ଜନ୍ମ ନିଏ ଟଙ୍କ । ଏବେ ଟଙ୍କକୁ ୧୯ ବର୍ଷ ହୋଇ ଯାଇଥିବା ବେଳେ ପର ଘରେ କୁଳୀ କାମ କରି ମାଁ ପୁଅ ପେଟ ପୋଷୁଛନ୍ତି । କାମ ନପାଇଲେ ମାଗିଯାଚି ରହିବାକୁ ପଡୁଛି । ଅନ୍ୟପକ୍ଷରେ ଟଙ୍କ କିମ୍ବା ତାର ମାଁକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ପାରୁ ନାହିଁ । ସେମାନେ ଦୀର୍ଘ ବର୍ଷରୁ ଏକ ପରିତ୍ୟକ୍ତ ସ୍କୁଲ ଗୃହରେ ରହୁଥିବା ବେଳେ ବର୍ତମାନ ବର୍ଷା ଋତୁରେ ସେହି ଘର ଭାଙ୍ଗି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଟଙ୍କ ନାମଙ୍କୁ ବିଜୁ ପକ୍କା ଘର କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି ।