କେଉଁଠି ଇଣ୍ଟରନେଟ ନାହିଁ ତ ଆଉ କାହା ପାଖରେ ମୋବାଇଲ ନାହିଁ, ଜିଲାର ଗ୍ରାମାଂଚଳରେ ଗଛ ଉପରେ ବସି ଚାଲିଛି ଡିଲାଙ୍କ ଅନଲାଇନ୍ ପାଠପଢା

FMODIA.IN 01-08-2020
kandhamala students reading online on tree

କନ୍ଧମାଳ, ୦୧ ଅଗଷ୍ଟ- ସରକାର ଭୟାଭୟ କରୋନା ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଇଂଟରନେଟ୍ ଯୋଗେ ଅନଲାଇନ୍ ରେ ପାଠପଢା ଆପଣାଇଛନ୍ତି । ମାତ୍ର କନ୍ଧମାଳ ଭଳି ପଛୁଆ ତଥା ଇଣ୍ଟରନେଟ୍ ସେବା ନଥିବା ଅଂଚଳରେ ଅନଲାଇନ୍ ଯୋଗେ ପାଠପଢା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫୁଲବାଣୀ ସହର ସମେତ କେତେକ ବ୍ଲକ ସଦର ମହକୁମା ଅଂଚଳରେ ହାତଗଣତି କିଛି ଛାତ୍ରଛାତ୍ରୀ କେବଳ ଏଥିରେ ଉପକୃତ ହେଉଥିବା ଦେଖାଯାଉଛି । କନ୍ଧମାଳରେ ଅନଲାଇନ୍ ପାଠପଢା କେମିତି ଚାଲିଛି ଆସନ୍ତୁ ଦେଖିବା ।

ଦେଖନ୍ତୁ ଏ ଦୃଶ୍ୟକୁ । ୟେ ହେଉଛନ୍ତି ସତ୍ୟଜିତ ପ୍ରଧାନ । ରୁତୁଙ୍ଗିଆ ସ୍କୁଲର ୧୦ମ ଶ୍ରେଣୀର ଛାତ୍ର । ପାଠ ପଢିବା ପ୍ରତି ଢେର ଆଗ୍ରହ ବି ରହିଛି ସତ୍ୟଜିତର । ବାପା ଜଣେ ଛୋଟ ଚାଷୀ ହୋଇଥିଲେ ମଧ୍ୟ ପୁଅ ପାଠ ପଢିବ ବୋଲି ମୋବାଇଲ ଟିଏ କିଣି ଦେଇଛନ୍ତି । ହେଲେ ଭଲ ନେଟୱାର୍କ ଘରକୁ ଆସୁନଥିବାରୁ ସତ୍ୟଜିତ ପ୍ରତିଦିନ ଘରଠାରୁ କିଛି ଦୂରକୁ ଯାଇ ଗଛ ଡାଳ ଉପରେ ବସି ଅନଲାଇନ୍ରେ ପାଠ ପଢୁଛନ୍ତି । ସେଠି ଭଲ ନେଟୱାର୍କ ଆସୁଛି ବୋଲି କହୁଛନ୍ତି ସତ୍ୟଜିତ । ସେହିପରି ଗାଁର ହାଇସ୍କୁଲର ଛାତ୍ରୀମାନେ ମଧ୍ୟ ଗାଁ ମୁଣ୍ଡକୁ ଯାଇ କିଏ ରାସ୍ତାକଡରେ ଠିଆହୋଇ ତ କିଏ ବିଲ ହୁଡାରେ ବସି ଅନଲାଇନ୍ ପାଠ ପଢୁଛନ୍ତି । ଏବେ ବର୍ଷାଦିନ ହୋଇଥିବାରୁ ବେଳେବେଳେ ବର୍ଷା ବି ହେଉଛି ଫଳରେ ପାଠ ପଢିପାରୁନାହାଁନ୍ତି ସେମାନେ ।

କନ୍ଧମାଳ ଜିଲ୍ଲାରେ ପ୍ରଥମରୁ ୧୦ମ ଯାଏଁ ପ୍ରାୟ ୧୩୪୨ ସ୍କୁଲର ୧ ଲକ୍ଷ ୪୭ ହଜାର ୭୦୪ ଛାତ୍ରଛାତ୍ରୀ ଥିବା ବେଳେ ଅନଲାଇନ୍ ଯୋଗେ ୨ୟ ରୁ ୧୦ମ ଯାଏଁ ପାଠ ପଢାଯାଉଛି । ହେଲେ ଇଂଟରନେଟ୍ ନଥିବା କିମ୍ବା ମୋବାଇଲ ବ୍ୟବହାର ଜାଣି ନଥିବାରୁ ମାତ୍ର ୧୨ରୁ ୧୫ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ୍ ଯୋଗେ ପାଠ ପଢୁଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ତେବେ, ଏନେଇ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତାମତ ଲୋଡିଥିଲୁ ତେବେ, ସେ କ୍ୟାମେରା ସମ୍ମୁଖରେ କିଛି କହିବେନି ବୋଲି ସିଧା ସିଧା ମନା କରିଦେଇଥିଲେ । ସରକାରଙ୍କ କରୋନା କଟକଣା ତ ବର୍ତମାନ ଅଗଷ୍ଟ ୩୧ ଯାଏଁ ରହିଛି । ସ୍କୁଲ ଖୋଲିବା ଲାଗି ମନା କରିଛନ୍ତି ସରକାର । ଆଗକୁ ଆଉ ବଢିବ କି ନାହିଁ କହିବା ମଧ୍ୟ ମୁସ୍କିଲ । ଏଭଳି ସ୍ଥିତିରେ ସରକାରଙ୍କ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାରେ କିଭଳି ସଫଳ ହେବ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।