କରୋନାକୁ ନେଇ ବେପରୁଆ ହୁଅନ୍ତୁନାହିଁ - ପ୍ରଧାନମନ୍ତ୍ରୀ

FMODIA.IN 29-06-2020

ନୂଆଦିଲ୍ଲୀ, 29 ଜୁନ : କରୋନାକୁ ନେଇ ବେପରୁଆ ହୁଅନ୍ତୁନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ସେ କହିଛନ୍ତି ଯେ କରୋନାର ଏହି ସଙ୍କଟ ସମୟରେ ଦେଶ ଲକଡାଉନରୁ ବାହାରି ଆସିଛି । ଆମେ ଏବେ ଅନଲକ ପର୍ଯ୍ୟାୟରେ, ଏହି ସମୟରେ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ - କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା, ଏହାକୁ ଶକ୍ତିଶାଳୀ କରିବା । ଲକଡାଉନ ଅପେକ୍ଷା ଅନଲକ ସମୟରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଦାଉରୁ ରକ୍ଷା କରିବ । ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣ ଯଦି ମାସ୍କ ନ ପିନ୍ଧୁଛନ୍ତି, ଦୁଇଗଜ ଦୂରତାର ନିୟମ ପାଳନ କରୁନାହାନ୍ତି, କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାବଧାନତା ଅବଲମ୍ବନ କରୁନାହାଁନ୍ତି ତାହେଲେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । ବିଶେଷକରି ଘରର ପିଲାଛୁଆ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ । ତେଣୁ ସମସ୍ତ ଦେଶବାସୀଙ୍କୁ ମୋର ନିବେଦନ ଆଉ ବାରମ୍ବାର ନିବେଦନ ଯେ ଆପଣ ବେପରୁଆ ମନୋଭାବ ପୋଷଣ କରନ୍ତୁନି । ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।