ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି - ପ୍ରଧାନମନ୍ତ୍ରୀ

FMODIA.IN 29-06-2020
India is moving towards self-reliance - Prime Minister

ନୂଆଦିଲ୍ଲୀ, 29 ଜୁନ : ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର କେତେକ ଦେଶଠାରୁ ଅଗ୍ରଣୀ ଥିଲା । ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା । ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ । ସ୍ୱାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହୁଁ । କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।
କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା । ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ଯ୍ୟ । ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ଏକ ପ୍ରକାର ଦେଶସେବା । ଆପଣ ଯେକୌଣସି ବୃତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା । ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାନ୍ତିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ । ଆମର ଏଠି କୁହାଯାଇଛି -
ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ ।
ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।ା
ଅର୍ଥାତ୍ ମନୁଷ୍ୟର ସ୍ୱଭାବ ଯଦି ଖଳ ହୋଇଥିବ, ତାହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ । କିନ୍ତୁ ସଜ୍ଜନର ବିଦ୍ୟା - ଜ୍ଞାନ ପାଇଁ, ଧନ - ସହାୟତା ପାଇଁ ଏବଂ ଶକ୍ତି - ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ । ଭାରତ ସର୍ବଦା ନିଜ ଶକ୍ତିକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି । ଭାରତର ସ୍ୱାଭିମାନ ଏବଂ ସାର୍ବଭୌମତ୍ୱର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ । ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ମିତ୍ରତା । ଭାରତର ଭାବନା ହେଉଛି ବନ୍ଧୁତା । ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା ।