ଜମ୍ମୁ କଶ୍ମୀର: ଅନନ୍ତନାଗରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

FMODIA.IN 29-06-2020
Jammu and Kashmir: Encounter in Anantnag, 3 terrorists killed

ନୂଆଦିଲ୍ଲୀ, 29 ଜୁନ:ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ପ୍ରାଣ ହରାଇଛନ୍ତି । ସୁରକ୍ଷା ବାହିନୀର ଯବାନମାନେ ଏହି ଅଜଣା ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀ ପରିଚୟ ତଦନ୍ତ କରାଯାଉଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ।

ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ । ତ୍ରାଲର ଚେୱା ଉଲ୍ଲରରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ସୂଚନା ମିଳିଥିଲା । ଏହା ପରେ ପୋଲିସ, ସେନା ଓ ସିଆରପିଏଫର ଯୁଗ୍ମ ଟିମ ଘଟଣାସ୍ଥଳକୁ ଅପରେଶନ ପାଇଁ ପହଞ୍ଚିଥିଲେ । ସୁରକ୍ଷା ବଳ ଦେଖିବା ମାତ୍ରେ ଆତଙ୍କବାଦୀମାନେ ବନ୍ଧୁକ ଚଳାଇଥିଲେ । ଏହାର ଯବାବ ଦେଇଥିଲେ ସୁରକ୍ଷା ବାହିନୀ ।
ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ସୋପୋରରେ ସୁରକ୍ଷା ବାହିନୀର ଯବାନମାନେ ଲସ୍କର-ଏ-ତଇବାର ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଚଳିତ ମାସ ଘାଟିରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଚଳିତ ବର୍ଷ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଛନ୍ତି । ଜୁନ ୨୩ରେ ପୁଲୱାମାର ବାନ୍ଦୁଜୁ ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ସମୟରେ ସିଆରପିଏଫର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ । ଜୁନ ୨୧ରେ କୁଲଗାମ ଓ ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।