ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି

FMODIA.IN 22-05-2020

ନୂଆଦିଲ୍ଲୀ / ଭୁବନେଶ୍ୱର, ୨୨ ମଇ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାରେ ବାତ୍ୟା ଅମ୍ଫାନ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଜନିତ କ୍ଷୟକ୍ଷତି ଏବଂ ଲୋକଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତି ପ୍ରତି ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଆରେ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟୁଇଟ୍ ରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ ମୁଁ ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲି ଏବଂ ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ମୋର ଚିନ୍ତା ପ୍ରକଟ କଲି । ମୁଁ ସେମାନଙ୍କୁ ଆଶ୍ୱାସନା ଦେଲି ଯେ, ଏହି ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ମୁଁ ପ୍ରାର୍ଥନା କରୁଛି ଓ ମୋର ବିଶ୍ୱାସ ରହିଛି ଯେ, ଏହି ଅଂଚଳ ବିପତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ।