ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

FMODIA.IN 23-05-2020
The Prime Minister praised Naveen

- ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଅଭିନନ୍ଦନର ପାତ୍ର : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର - ବାତ୍ୟା ଅମ୍ଫାନ ପ୍ରଭାବିତ ଅଂଚଳ ପରିଦର୍ଶନ କରିବାକୁ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ।

ମହାବାତ୍ୟା ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନତା ଅଭିଯାନ ଫଳରେ ସମ୍ପତି ନଷ୍ଟ ହୋଇଥିଲେ ବି ଜୀବନ ବଂଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ମୁକାବିଲା ଲାଗି ସୁବ୍ୟବସ୍ଥିତ ପରିଚାଳନା ହେଲା ସେ ସପଂର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ଶୁକ୍ରବାର ଦିନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇପ୍ରଧାନମନ୍ତ୍ରୀ ଏହା କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଜୀବନ ବଂଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢୁଥିବା ବେଳେ ସୁପର ସାଇକ୍ଲୋନ ଭଳି ସଂକଟ ପଂହଚିଗଲା । ଏହା ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରିଚାଳନା କରାଯାଇ ଜୀବନ ବଂଚାଗଲା ତାହା ଏକ ବଡ଼ ସଫଳତା । ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛି । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।