ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ତିନି ମହିଳାଙ୍କ ସମେତ ୬ ମୃତ : ଜଣେ ଗୁରୁତର

FMODIA.IN 24-11-2020
6 killed in Nayagarh accident

ନୟାଗଡ଼, ୨୪ ନଭେମ୍ବର - ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର । ଫଳରେ ତିନି ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲା ଶରଣକୂଳ ବଜାର ଠାରୁ ଅଳ୍ପ ଦୂର ଚୁଡ଼ା ମିଲ୍ ନିକଟରେ । ମୃତକଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ମହିଳା ଓ ତିନି ଜଣ ପୁରୁଷ ।

ଖବର ପାଇ ଶରଣକୂଳ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚିଛନ୍ତି । ଦୁର୍ଘଟଣା ଘଟାଇଥିବା ଡ଼ମ୍ଫରକୁ ଜବତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଡ଼ମ୍ଫରଟି ନୟାଗଡ଼ରୁ ଓଡ଼ଗାଁ ଆଡକୁ ଦୃତ ଗତିରେ ଆସୁଥିବା ବେଳେ ଏମାନଙ୍କ ଉପରେ ମାଡି ଯାଇଥିଲା । ଘଟଣା ପରେ ଡ଼୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଡ଼୍ରାଇଭରଙ୍କ ସାମାନ୍ୟ ଅସାବଧାନତା ୬ଟି ଜୀବନ ଦୀପକୁ ଲିଭାଇ ଦେଲା ତାକୁ ନେଇ ସ୍ତବ୍ଧ ହୋଇପଡିଛି ସମଗ୍ର ଅଂଚଳ ।