ମହୁଲ ପରେ ଚାହାଁର ମଞ୍ଜିର ଅଭାବୀ ବିକ୍ରୀ ଅଭିେଯାଗ

FMODIA.IN 23-05-2020
ମହୁଲ ପରେ ଚାହାଁର ମଞ୍ଜିର ଅଭାବୀ ବିକ୍ରୀ ଅଭିେଯାଗ

ନୂଆପଡା, 23 ମଇ : ନୂଆପଡା ଜିଲ୍ଲାର ବଣପାହାଡ ଘେରା ମଧ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଡୋଙ୍ଗରିଆ ଲୋକ ମାନେ ବିଶେଷ ଭାବରେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ହୋଇ ଜୀବିକା ନିର୍ବାହ କରିଥାନ୍ତି । ସେହି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ଚାହାଁର ମଞ୍ଜି ଅନ୍ୟତମ । ଚାହାଁର ମଞ୍ଜିର ଅଭାବ ବିକ୍ରିର ଶିକାର ହୋଇ କମ୍ ମୂଲ୍ୟରେ ଦଲାଲ ମାନଙ୍କ ପାଖରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଏହି ସରଳ ଆଦିମ ଜନଜାତୀ ଲୋକମାନଙ୍କ ଜୀବନ ଜୀବିକାରେ ବାଧା ଦେଖାଦେଇଛି । ନୂଆପଡା ଜିଲ୍ଲାର ପୁରପଲ୍ଲୀରେ ଏବେ ଚାହାଁରର ବାସ୍ନା ଚହଟି ଯାଇଛି । ପ୍ରାତଃ ସକାଳୁ ସକାଳୁ ଚାହାଁର ଗଛଥିବା ପରିବାରର ଲୋକେ ଚାହାଁର ଗଛକୁ ଚଢି ଚାହାଁର ଗୋଟାଇବା ପାଇଁ ପ୍ରତିଦିନ ନିକଟସ୍ଥ ଜଙ୍ଗଳକୁ ଯାଆନ୍ତି । ଚଳିତ ବୈଶାଖ ମାସରେ ଚାହାଁର ମଞ୍ଜି ସଂଗ୍ରହ କରିଥାନ୍ତି । ଚାହାଁର ମଞ୍ଜିକୁ ସଂଗ୍ରହ କରି ପଥର ଚଟାଣରେ ଶୁଖାଇ ବିକ୍ରି କରି ତେଳ ଲୁଣର ସଂସାର ଚଳାଇଥାନ୍ତି । ହେଲେ ସରକାର ପକ୍ଷରୁ ଏହାକୁ ବିକ୍ରି କରିବା ପାଇଁ ଏଯାଏଁ ଦର ଧାର୍ଯ୍ୟ ହୋଇନାହିଁ । ଯାହାଫଳରେ ଏହି ନିରୀହ ଲୋକ ମାନେ ଦଲାଲ ପାଖରେ ପଡି କମମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ଉପରପିଟା, ଲାଞ୍ଜି, କରନଡବା, ମହୁଲପଡା, ବେଲପଡା, ମନ୍ତ୍ରୀତରାଇ, ଦାବରୀ, ରାଣିମୁଣ୍ଡା, କମ୍ପାନୀଗୁମା, ବିକ୍ରମପୁର, କିରକିଟା, କୋଦାଲଡୁଙ୍ଗରୀ, କାଟଫାର, ଭଇସାଦାନୀ, ପାଟଧରା, ସିଆଲିପଡା, ସିଆଲଲଟି, ରେଢାମାଲ, ପେନଲାପଡା, ରୁଣ୍ଡି ସହ ଜିଲାର ଅନ୍ୟ ଗ୍ରାମାଞ୍ଚଳର ଲୋକେ ଚାହାଁର ମଞ୍ଜି ତୋଳି ଅଭାବି ବିକ୍ରିର ଶିକାର ହୋଇ କମ ଦରରେ ଦଲାଲ ପାଖରେ ବିକ୍ରୟ କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅନ୍ୟବର୍ଷ ଅପେକ୍ଷା ଚଳିତ ବର୍ଷ ଚାହାଁର ମଧ୍ୟ କମ ପରିମାଣରେ ଉତ୍ପାଦନ ହୋଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।