ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ପ୍ରଥମ ବନ୍ୟା ଜଳ ତଳମୁଣ୍ଡରେ ପହଂଚିଲା

FMODIA.IN 29-06-2020
1st flood water reached in law area

ଭୁବନେଶ୍ୱର, 29 ଜୁନ୍ :ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଲାଗି ରହିବା ଫଳରେ ଗତକାଲି ଭଳି ଆଜି ସମ୍ପୃକ୍ତ ଜଳଭଣ୍ଡାରରୁ ୧୫ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ କରାଯାଉଛି ବୋଲି ଏସଆରସିଙ୍କ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଜଳଭଣ୍ଡାରର ଜଳପତନ ସନ୍ଧ୍ୟା ୬ଟାରେ ୬୧୫.୨ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ୫୭ ହଜାର ୧୬୧ ଘନଫୁଟ ପାଣି ପ୍ରବେଶ କରୁଛି । ଅନ୍ୟ ପକ୍ଷରେ ଏହି ସମୟ ମଧ୍ୟରେ ୨ ଲକ୍ଷ ୪୧ ହଜାର ୭୨୬ ଘନଫୁଟପାଣି ବାହାରକୁ ଛଡ଼ାଯାଉଛି । ଖଇରାମାଳରେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୫ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା ବେଳେ ବରମୂଳରେ ୨ ଲକ୍ଷ ୫୫ ହଜାର ଏବଂ ମୁଣ୍ଡୁଳିଠାରେ ୨ ଲକ୍ଷ ୯ ହଜାର ୫୩୬ ଘନଫୁଟ ପାଣି ପ୍ରବାହିତ ହେଉଛି । ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଦେଇ ଛଡ଼ାଯାଇଥିଲା । ଏହା ଫଳରେ ପ୍ରବାହିତ ଜଳପତନ ବୃଦ୍ଧି ପାଇଛି । ଗତକାଲି ଖଇରାମାଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୭ ହଜାର ୫୦୦ ଘନଫୁଟ ପାଣି ପ୍ରବାହିତ ହେଉଥିଲା ବେଳେ ବରମୂଳରେ ୧ ଲକ୍ଷ ୮୮ ହଜାର ୭୫୦ ଘନଫୁଟ ପାଣି ଏବଂ ମୁଣ୍ଡୁଳିଠାରେ ୭୧ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା ।