ଛାତ୍ର ଜୀବନରୁ ବନ୍ଧୁକ ରଖିଛି : ସ୍ୱାସ୍ଥ୍ୟମନ୍ତ୍ରୀ

FMODIA.IN 12-02-2020
Health Minister naba dash possessed gun

ଭୁବନେଶ୍ୱର, ୧୨ ଫେବୃଆରୀ ବନ୍ଧୁକ ରଖିବା ମୋର ସଉକ । ନିଜର ସୁରକ୍ଷା ଲାଗି ନୁହେଁ, ବ୍ୟକ୍ତଗତ ସଉକ ଲାଗି ବନ୍ଧୁକ ରଖିଛି । ରାଜନୀତିକୁ ଆସିବା ବହୁ ପୂର୍ବରୁ ଛାତ୍ର ଜୀବନରୁ ବନ୍ଧୁକ ରଖିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ମନ୍ତ୍ରୀ ଶ୍ରୀ ଦାସଙ୍କ ସମ୍ପତି ତାଲିକା ପ୍ରକାଶ ପାଇବା ପରେ ତାଙ୍କ ନିକଟରେ ଦୁଇଟି ଲାଇସେନ୍ସପ୍ରାପ୍ତ ରିଭଲଭର୍ ଓ ଗୋଟିଏ ରାଇଫଲ୍ ରହିଥିବା ଜଣାପଡିଛି । ଏଥିନେଇ ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ବନ୍ଧୁକ ରଖିବାର କାରଣ ପଚାରିଥିଲେ । ଏହାର ଉତରରେ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ବନ୍ଧୁକ ରଖିବା ବେଆଇନ ନୁହେଁ, ଏଥିଲାଗି ଆଇନରେ ବ୍ୟବସ୍ଥା ଅଛି ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଗତକାଲି ପ୍ରକାଶ ପାଇଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ଏହି ତାଲିକାର ତଥ୍ୟ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ଲକ୍ଷ ଟଙ୍କା ଓ ଝିଅ ଦୀପାଳୀଙ୍କ ପାଖରେ ୨.୦୭ଲକ୍ଷଟଙ୍କା ଏହିପରି ପ୍ରାୟ ୩୨ଲକ୍ଷ ନଗଦ ଅଛନ୍ତି । ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ସ୍ଥାୟୀ ଜମା ରହିଛି ।