BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

FMODIA.IN 07-11-2020
In odisha  school is closed until December 31

- ସ୍କୁଲ ବନ୍ଦ ଥିଲେ ବି ଚାଲୁ ରହିବ ପରୀକ୍ଷା ଓ ଖାତାଦେଖା

- ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା , ମୂଲ୍ୟାଙ୍କନ ଓ ନାମଲେଖା ପ୍ରକ୍ରିୟା ଜାରି ରହିବ । ସେହିଭଳି ଅନ୍ଲାଇନ୍ କ୍ଲାସ ମଧ୍ୟ ପୂର୍ବ ପରି ଚାଲିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଆଜି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ, ଚଳିତ ମାସରେ ସ୍କୁଲ୍ ଖୋଲିବା ନେଇ ଯେଉଁ ନିଷ୍ପତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଏଣୁ ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବ ନାହିଁ । ଚଳିତ ମାସରେ ଏହି ଶ୍ରେଣୀ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଅନଲକ୍ ପରେ ନିକଟରେ ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ସ୍କୁଲ ଖୋଲିଥିଲା । ମାତ୍ର ଏଥିଯୋଗୁଁ ବହୁ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । ତେବେ ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତି ବଦଳାଯାଇଛି ।