ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଦିଅନ୍ତୁ : ସମାଜବାଦୀ ପାର୍ଟି

FMODIA.IN 22-05-2020

ଭୁବନେଶ୍ୱର,22 ମଇ : ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତରେ ରଖି ଓଡ଼ିଶା ପ୍ରଶାସନ ଚଳଚଂଚଳ ହୋଇଉଠିଛି । ବାତ୍ୟା ଅମ୍ଫନ ଯୋଗୁଁ ରାଜ୍ୟର ୧୨ଟି ଉପକୂଳ ଜିଲ୍ଲାର ଚାଷବାଷ ଉଜୁଡି ଯାଇଥିଲା ବେଳେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୪ଟି ଜିଲ୍ଲାରେ ୧ଲକ୍ଷ ହେକ୍ଟର ଜମିରେ ଫସଲ ଧ୍ୱଂସ ହୋଇଯାଇଛି । ଶହ ଶହ ଚାଳଘର ଓ ଆଜ୍ବେଷ୍ଟସ୍ ଟାଇଲ୍ ଘର ଭାଙ୍ଗିଥିଲା ବେଳେ ୪୫ଲକ୍ଷ ଲୋକ ଜୀବନ ଜୀବିକାକୁ ବାତ୍ୟା ପ୍ରଭାବିତ କରିଛି ବୋଲି ସରକାରଙ୍କର ଏକ ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସେସୁ, ନେସ୍କୋ ଓ ସାଉଥକୋ ଭଳି ବିଜୁଳି କମ୍ପାନୀମାନଙ୍କର ୪୪ ଲକ୍ଷ ୮୦ ହଜାର ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଅନେକ ଯାଗାରେ ବିଜୁଳିଖୁଣ୍ଟ ଓ ବଡ଼ବଡ଼ ଗଛ ପଡ଼ି ଏପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ମଧ୍ୟ ବନ୍ଦ ରହିଛି । ଡାଳୁଅ ଧାନ, ଆଖୁ, ପାନବରଜ, ପନିପରିବା ଓ ତରଭୁଜ ଆଦି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି । କରୋନା ସଂକ୍ରମଣ ଯୋଗୁଁ ଓଡ଼ିଶାର ଚାଷୀମାନେ ଜୀବନ ଜୀବିକାର ସଂକଟ ଭିତର ଦେଇ ଗତି କରୁଥିଲା ବେଳେ ଅମ୍ଫନ ମହାବାତ୍ୟା ତାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ଆଜି ନିଜେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ କ୍ଷୟକ୍ଷତି ପରିଦର୍ଶନ କରି ଏହାର ଉଚିତ୍ ମୁକାବିଲା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନରେ ଆସିବା ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ପୁନରୁଦ୍ଧାର ଓ ଥଇଥାନ ପାଇଁ ଭାଙ୍ଗିଯାଇଥିବା ସମସ୍ତ ଚାଳଘର, ଆଜବେଷ୍ଟସ୍ ଘର ଓ ଟାଇଲ୍ ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଜରୀଆରେ ପକ୍କା ଘରରେ ପରିଣତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ସେହିଭଳି ପୁନରୁର୍ଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ବିଶେଷତଃ ଚାଷୀମାନଙ୍କୁ ସାହାଯ୍ୟ ଯୋଗାଇ ଦେବାପାଇଁ ସର୍ବନିମ୍ନ ୧ ହଜାର କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଖରିଫ୍ ଋତୁରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିନା ସୁଧରେ ଋଣ, ପନିପରିବା ଚାଷୀଙ୍କୁ ମାଗଣାରେ ଚାରା, ସାର ଓ କୀଟନାଶକ ଔଷଧ ଓ ଭାଙ୍ଗିଯାଇଥିବା ପାନବରଜର ଓ ଆଖୁପାଇଁ କ୍ଷତିପୂରଣ ଦେବାକୁ ଶ୍ରୀ ବେହେରା ମଧ୍ୟ ଦାବି କରିଛନ୍ତି ।