ଶ୍ରମ ଆଇନ ପରିବର୍ତନ ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

FMODIA.IN 23-05-2020
sramika sangathan pratibad

ଭଦ୍ରକ, 23 ମଇ : କୋଭିଡ଼୍ -୧୯ ମହାମାରୀ ଦ୍ୱାରା କବଳିତ ହୋଇ ଦେଶବାସୀ ନାହିଁ ନଥିବା ଦୁର୍ଦ୍ଧଶା ମଧ୍ୟରେ ଥିବାବେଳେ ପ୍ରାୟ ୧୪କୋଟିରୁ ଅଧିକ ଶ୍ରମିକ କର୍ମଚାରୀ ନିଜର କର୍ମସଂସ୍ଥାନ ହରାଇବା ଫଳରେ ସେମାନଙ୍କର ଜୀବନ ଦୁର୍ବିସହ ହୋଇ ପଡ଼ିଛି । ଏହିଭଳିଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ନିରାପଦରେ ପହଂଚାଇବା, କର୍ମ ସଂସ୍ଥାନ ହରାଇଥିବା ଶ୍ରମିକ ମାନଙ୍କ ପାଇଁ କର୍ମ ନିଯୁକ୍ତିର ଯୋଜନା ପରିବର୍ତେ କର୍ପୋରେଟ୍ ସ୍ୱାର୍ଥରେ ଏବଂ ଶ୍ରମିକ ଶ୍ରେଣୀର ସ୍ୱାର୍ଥ ବିରୋଧରେ ଶ୍ରମ ଆଇନ ବାରମ୍ବାର ପରିବର୍ତନ କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଶ୍ରମିକ କର୍ମଚାରୀମାନଙ୍କ ସହ ଆଲୋଚନା ନକରି କର୍ପୋରେଟ୍ ସ୍ୱାର୍ଥରେ ୪୪ଟି ଶ୍ରମ ଆଇନ୍ କୁ ଚାରିଟି କୋର୍ଡରେ ପରିଣତ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା । କରୋନା ମହାମାରୀ କବଳରେ ଦେଶ ଥିବାବେଳେ ଶ୍ରମ ଆଇନ୍କୁ ପରିବର୍ତର୍ନ ୮ଘଂଟା ଶ୍ରମ ଦିବସକୁ ୧୨ଘଂଟାକୁ ବୃଦ୍ଧି, ଟ୍ରେ୍ଡ୍ୟୁନିନ୍ ଅଧିକାର ଉପରେ ଆକ୍ରମଣ ଏବଂ ଆତ୍ମନିର୍ଭରତା ନାମରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ବିଦେଶୀ ପୁଂଜିକୁ ଅନୁମତି ଦେବା, ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କର ବ୍ୟାପକ ଘରୋଇକରଣ ଓ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ଖୋଲାଖୋଲି ଉଦ୍ୟମ ଆରମ୍ଭ ହୋଇଛି । ଦେଶରେ ଶ୍ରମିକମାନଙ୍କ ଉପରେ ଏହି ପ୍ରଚଣ୍ଡ ଆକ୍ରମଣ ଓ ପ୍ରାକୃତିକ ସମ୍ପଦର ଲୁଟ୍ ପାଇଁ ଦେଶୀ ଓ ବିଦେଶୀ ପୁଂଜିପତି ମାନଙ୍କୁ ଅବାଧ ନିମନ୍ତ୍ରଣ ବିରୋଧରେ କେନ୍ଦ୍ରୀୟ ଟ୍ରେଡ୍ୟୁନିଅନ୍ ଡ଼ାକରାରେ ଆଜି ଭଦ୍ରକ ଜିଲ୍ଲାର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଶ୍ରମକାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ବିକ୍ଷୋଭ ଅନୁିତ ହୋଇଯାଇଛି । ବ୍ୟକ୍ତିଗତ ବ୍ୟବଧାନକୁ ବଳବତ୍ତର ରଖି ଏଆଇଟିୟୁସି, ସିଆଇଟିୟୁ, ଏଆଇସିସିଟିୟୁ,ଏଆଇୟୁଟିୟୁସି, ଆଇଏନ୍ଟିୟୁସି ସହିତ ଶ୍ରମିକ ସଂଗଠନ ମାନଙ୍କର ଶତାଧିକ କର୍ମୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ନିଜ ନିଜ ମଧ୍ୟରେ ବ୍ୟକ୍ତିଗତ ଦୂରତାକୁ ବଜାୟ ରଖି ଶ୍ରମିକ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଦିବ୍ୟସିଂହ ନାୟକ, ସମର ବଳ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥ, ରମେଶ ଜେନା, ବିମ୍ବାଧର ବାରିକ, ପରମେଶ୍ୱର ବାରିକ, ଜୟନ୍ତୀ ବିଶ୍ୱାଳ, ଗୟାଧର ଶେଣ, ଜଗନ୍ନାଥ ବେହେରା, କିଶୋର ଜେନା, ପୁର୍ଣ୍ଣଚନ୍ଦ୍ର ଦାସ, ରମାକାନ୍ତ ଦାସ ପ୍ରମୁଖ ଏହି ପ୍ରଦିବାଦ ଓ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ ।