ରଥଖଳା ହାଲଚାଲ୍ : ତାଳଧ୍ୱଜ ରଥର ୧୧, ଦେବଦଳନ ରଥର ୯ ଓ ନନ୍ଦିଘୋଷ ରଥର ୧୧ ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ : ଅର ସଂଯୋଗ, ପଇ ବିନ୍ଧ କାର୍ଯ୍ୟ ଆରମ୍ଭ

FMODIA.IN 23-05-2020
Chariot movement: Construction of 11 wheels of Taladhwaj chariot complete.

ପୁରୀ - ତାଳଧ୍ୱଜ ରଥର ୧୧ଟି ଚକ କାମ ଶେଷ ହୋଇ ଅନ୍ୟ ଦୁଇଟିର ତୁମ୍ବରେ ଅର ସଂଯୋଗ ସହ ପଇ ବିନ୍ଧ କାର୍ଯ୍ୟ ଚାଲିଛି ।

ଦେବଦଳନ ରଥର ଗତକାଲି ୯ଟି ଚକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଆଜି ଗୋଟିଏ ତୁମ୍ବରେ ଅରସଂଯୋଗ କାର୍ଯ୍ୟ ଓ ପଇ ବିନ୍ଧ କାର୍ଯ୍ୟ ଜାରୀ ରହିଛି । ନନ୍ଦିଘୋଷ ରଥର ୧୧ଟି ଚକର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି ।

ସେହିପରି ତାଳଧ୍ୱଜ ରଥର ସମସ୍ତ ୭ ଗୋଟି ଅଖ କାର୍ଯ୍ୟ ଶେଷ ହୋଇ ମଠା କାର୍ଯ୍ୟ ଚାଲିଛି । ଦେବଦଳନ ରଥର ସମସ୍ତ ୬ଗୋଟି ଅଖ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ୬ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅନ୍ୟ ଦୁଇଟି ଅଖର କାର୍ଯ୍ୟ ଚାଲିଛି ।

ସେହିପରି ତିନି ରଥର ଚାରିନାହାକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ତିନି ରଥର ଦୁଇଟି ଲେଖାଏଁ ଗର ଗରା କାର୍ଯ୍ୟ ଚାଲିଛି ।

ଅନୁରୂପ ଭାବେ ଦୋଳବେଦୀରେ କରତ ସେବକଙ୍କ ଦ୍ୱାରା ଗୟଳ ଚିରଟ କାର୍ଯ୍ୟ ଚାଲୁ ରହିଛି । ମୋଟ୍ ୬ଟି ଗୟଳ ମଧ୍ୟରୁ ଦୁଇଟିର ଚିରଟ କାର୍ଯ୍ୟ ଶେଷ ହୋଇଛି ।

ଓଝା ସେବକଙ୍କ ଦ୍ୱାରା ଦୋଳବେଦୀ ଅସ୍ଥାୟୀ ଶାଳରେ ଅଖ କଂଟା ୨୦ ଏମଏମର ମୋଟେଇ ଏବଂ ଚଉରସ୍ କଂଟା ୨୦ ଏମଏମର ଆଗ ପାତେଳି କଂଟା ତିଆରି ଚାଲିଛି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ସହିତ ଜଡ଼ିତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି ।