କରୋନା ପ୍ରଭାବ: ଘୁଂଚି ପାରେ ଟୋକିଓ ଅଲିମ୍ପିକ

FMODIA.IN 23-03-2020
Corona effect: Tokyo Olympics may move

ଟୋକିଓ, ମାର୍ଚ୍ଚ୨୩(ହି.ସ)- ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭାଇରସର ପ୍ରକୋପ ଥମିବାର ନାଁ ନେଉନାହିଁ । ବିଶ୍ୱର ଅର୍ଥ ବ୍ୟବସ୍ଥା ସହ କ୍ରୀଡା ଜଗତ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିଛି । ଅନେକ କ୍ରୀଡା ଆୟୋଜନ ମଧ୍ୟ ବାତିଲ୍ ହୋଇ ସାରିଛି । ଏବେ ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ପ୍ରଥମ ଥର କହିଛନ୍ତି ଯେ, କରୋନା ଭୂତାଣୁ କାରଣରୁ ଯଦି ଟୋକିଓ ଅଲିମ୍ପିକ କ୍ରୀଡା ପୂର୍ଣ୍ଣ ରୂପେ ଆୟୋଜନ କରିବା ସମ୍ଭବ ନହୁଏ ତେବେ ଅଲିମ୍ପିକ ସ୍ଥଗିତ କରିବାକୁ ପଡିପାରେ ।

ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତି(ଆଇଓସି) ରବିବାର ଏକ ଜରୁରୀକାଳୀନ ବୈଠକ ପରେ କହିଛି ଯେ, ଆବଶ୍ୟକ ପଡିଲେ ଚଳିତ ବର୍ଷ ଜୁଲାଇ ୨୪ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ଆୟୋଜନକୁ ସ୍ଥଗିତ ରଖିବାକୁ ପଡିପାରେ । ଏହା ସହିତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ଆଇଓସି କହିଛି ।

ପ୍ରଧାନମନ୍ତ୍ରୀ ଆବେ କହିଛନ୍ତି ରଦ୍ଦ କରିବା କୌଣସି ବିକଳ୍ପ ନୁହଁ ମାତ୍ର କିଛି ସମୟ ବିଳମ୍ବରେ ଆୟୋଜିତ କରି ଅଲିମ୍ପିକକୁ ପୂର୍ଣ୍ଣ ଭାବେ କରାଇବା ଏକ ମାତ୍ର ଉପାୟ । ସେ ସଂସଦରେ କହିଛନ୍ତି ଯଦି କ୍ରୀଡାର ଆୟୋଜନ ମୁସ୍କିଲ ହୁଏ ତେବେ ଆମ ପାଖରେ କ୍ରୀଡା ସ୍ଥଗିତ କରିବା ବ୍ୟତୀତ ଅନ୍ୟ ବିକଳ୍ପ ଆଉ ନାହିଁ ।

ଆବେ କହିଛନ୍ତି ସେ ରବିବାର ସନ୍ଧ୍ୟାରେ ଟୋକିଓ ଅଲିମ୍ପିକ କ୍ରୀଡାର ପ୍ରମୁଖ ୟୋଶୀରୋ ମୋରୀଙ୍କୁ ନିଜର ରାୟ ଜଣାଇଥିଲେ । ଏହା ପରେ ଆଇଓସି ଅଧ୍ୟକ୍ଷ ଥୋମାସ ବାଚଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଅଲିମ୍ପିକ କ୍ରୀଡାରକୁ ସ୍ଥଗିତ କରିବାକୁ ଆଥଲେଟ୍ ମହାସଂଘ ଓ ରାଷ୍ଟ୍ରୀୟ ସମିତି ପକ୍ଷରୁ ବଢୁଥିବା ଚାପ କାରଣରୁ ଆଇଓସି ରବିବାର ଟୋକିଓ ଅଲିମ୍ପିକ ଆୟୋଜନକୁ ନେଇ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି । ଲମ୍ବା ସମୟ ଧରି ଆଇଓସି ଜୋର୍ ଦେଇ କହି ଆସୁଥିଲା ଯେ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ କ୍ରୀଡା ଆରମ୍ଭ ହେବ ।