ମୋ ପ୍ରତିଭା ଆବେଦନ ୧୦,୦୦୦ ଟପିଲା

FMODIA.IN 09-05-2020

ଭୁବନେଶ୍ୱର,09ମଇ : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ ଦ୍ୱାରା ଶିଶୁମାନଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ଆରମ୍ଭ ହୋଇଥିବା ମୋ ପ୍ରତିଭା ଅନ୍ଲାଇନ ପ୍ରତିଯୋଗିତା ଇତିମଧ୍ୟରେ ପାଂଚ ସପ୍ତାହ ପୂରଣ କରିଛି । ପଂଚମ ସପ୍ତାହ ଶେଷ ହେବାବେଳକୁ ବିଭାଗ ପାଖରେ ୧୦,୦୦୦ରୁ ଉଦ୍ଧ୍ୱର୍ ଆବେଦନ ପହଂଚିଛି । ଲକ୍ ଡାଉନ୍ ହେତୁ ବିଭିନ୍ନ ଆହ୍ୱାନ ଥିଲେ ମଧ୍ୟ ପ୍ରତି ଗୁରୁବାର ଦିନ ନିୟମିତ ଫଳ ପ୍ରକାଶିତ ହେଉଛି ।
ଆଧୁନିକ ଇତିହାସର ସବୁଠାରୁ କଠିନ ସମୟ ଏହି ଲକ୍ ଡାଉନ୍ରେ ମଧ୍ୟ ପିଲାମାନେ ନିଜକୁ ଶୃଙ୍ଖଳିତ ରଖିବା ସହ ପ୍ରତିଯୋଗିତା ପାଇଁ ସୃଜନାତ୍ମକ ପରିକଳ୍ପନାକୁ ପ୍ରସ୍ଫୁଟିତ କରିପାରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଏହିସବୁ ସୃଜନକଳାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଡିଜିଟାଲ୍ ପ୍ରଦର୍ଶନୀ କରାଯିବ ଏବଂ ଲକ୍ ଡାଉନ ଅବଧି ଶେଷ ହେବା ପରେ ଓଡ଼ିଶା ଲଳିତ କଳା ଏକାଡେମୀ ସହଯୋଗରେ ପ୍ରତ୍ୟକ୍ଷ ପ୍ରଦର୍ଶନୀ କରିବା ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି । ଏଣିକି ପ୍ରତି ଶନିବାର ଦିନ ମୋ ପ୍ରତିଭା ବିଜେତା ଓ ଅନ୍ୟ ପ୍ରତିଯୋଗୀମାନଙ୍କ କୃତି ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଦର୍ଶିତ ହେବ । ଏହି ପ୍ରତିଭାସମ୍ପନ୍ନ ପିଲାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ରେ ମଧ୍ୟ ଏହା ପ୍ରଦର୍ଶନ କରାଯିବ, ଯେଉଁଥିରେ ପିଲାମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିବେ । ପରୋକ୍ଷରେ ଏହି କୋମଳମତି ପିଲାମାନେ ମଧ୍ୟ ଜଣେ ଜଣେ କୋଭିଡ୍ ଯୋଦ୍ଧା ଏବଂ ଏହି କଠିନ ସ୍ଥିତିରେ ସେମାନଙ୍କ ସହଯୋଗ ପାଇଁ ବିଭାଗ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଯାଇଛି ।