ଯୁବରାଜ-ଧୋନୀଙ୍କ ମଧ୍ୟରେ ଚୟନ କରିବା ମା ଓ ପିତାଙ୍କ ମଧ୍ୟରେ ଚୟନ କରିବା ସହ ସମାନ : ବୁମରା

FMODIA.IN 27-04-2020

ନୂଆଦିଲ୍ଲୀ, ଏପ୍ରିଲ୨୭ : ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା କହିଛନ୍ତି ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହଙ୍କ ମଧ୍ୟରୁ କାହାକୁ ଜଣେ ଚୟନ କରିବା ମା ଓ ପିତାଙ୍କ ମଧ୍ୟରେ ଚୟନ କରିବା ସହ ସମାନ ।

ଯୁବରାଜ ଓ ବୁମରା ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ପରସ୍ପର ସହ କରିଥିବା ଆଲୋଚନା ସମୟରେ ଯୁବରାଜ ବୁମରାଙ୍କୁ ତାଙ୍କ ଏବଂ ଧୋନୀଙ୍କ ମଧ୍ୟରୁ କାହାକୁ ମ୍ୟାଚ୍ ଫିନିସର ଭାବେ ଚୟନ କରିବାକୁ କହିଥିଲେ । ଏହା ଉପରେ ବୁମରା କହିଥିଲେ ମୁଁ ଜଣଙ୍କୁ ଚୟନ କରି ପାରିବି ନାହିଁ, ଯୁବରାଜ ଓ ଧୋନୀଙ୍କ ମଧ୍ୟରେ ଚୟନ କରିବା ମା ଓ ପିତାଙ୍କ ମଧ୍ୟରେ ଚୟନ କରିବା ସହ ସମାନ । କିନ୍ତୁ ଯୁବରାଜ କହିଛନ୍ତି ଯଦି ସେ ଧୋନୀଙ୍କୁ ଚୟନ କରିଥାନ୍ତେ ତେବେ ମଧ୍ୟ ସେ ଖରାପ ଭାବିନଥାନ୍ତେ ।

ଇନଷ୍ଟାଗ୍ରାମର ସିଧା ପ୍ରସାରଣ ସମୟରେ ଯୁବରାଜ ବୁମରାଙ୍କୁ ଏହା ପଚାରିଛନ୍ତି ଯେ, ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ କିଏ ଭଲ ବ୍ୟାଟସମ୍ୟାନ । ଏହି ପ୍ରଶ୍ନକୁ ବୁମରା ଏହା କହି ଟାଳି ଦେଇଥିଲେ ଯେ, ତାଙ୍କ ପାଖରେ ବେଶୀ ଅନୁଭବ ନାହିଁ ।

ଯୁବରାଜ ବୁମରାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ସେ ଖେଳର ତିନୋଟି ଫର୍ମାଟରେ ଦୁନିଆର ଏକ ନମ୍ବର ବୋଲର ହେବାର କ୍ଷମତା ରଖିଛନ୍ତି । ଯୁବରାଜ ବୁମରାଙ୍କୁ କହିଛନ୍ତି, ଆପଣଙ୍କୁ ଏହା ବିଶ୍ୱାସ କରିବାର ଆବଶ୍ୟକତା ରହିଛି ଯେ, ଆପଣ ଦୁନିଆର ଏକ ନମ୍ବର ବୋଲର ହେବେ । ଆପଣ ଏହି କଥାକୁ ନେଇ ଚିନ୍ତିତ ହେବେ ନାହିଁ ଯେ, ବାହାର ଦୁନିଆ ଆପଣଙ୍କ ବିଷୟରେ କଣ ଭାବୁଛି ।

ଯୁବି କହିଛନ୍ତି, ଆପଣଙ୍କ ପାଖରେ ସମସ୍ତ ଫର୍ମାଟରେ ଦୁନିଆର ଏକ ନମ୍ବର ବୋଲର ହେବାର କ୍ଷମତା ରହିଛି । ଆପଣଙ୍କ ଧ୍ୟାନ ଆଗାମୀ ଦୁଇ ବର୍ଷ ପାଇଁ ଦୁନିଆର ଏକ ନମ୍ବର ବୋଲର ହେବା ଉପରେ ରହିବା ଉଚିତ୍ । ବୁମରାଙ୍କୁ ଶେଷ ଥର ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ସମୟରେ ଭାରତୀୟ ଦଳରେ ଦେଖିବାକୁ ମିଳିଥିଲା । ଏହି ଶୃଙ୍ଖଳାରେ ସେ ୬ ଓ୍ିକେଟ୍ ନେବାରେ ସକ୍ଷମ ହୋଇଥିଲେ । ମାତ୍ର ଭାରତ ଏହି ଶୃଙ୍ଖଳାରେ ୨-୦ରେ ପରାଜିତ ହୋଇଥିଲା । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତର ଏହା ପ୍ରଥମ ପରାଜୟ ଥିଲା ।

ଇୁମରା ସଂପ୍ରତି ଆଇସିସି ଦିନିକିଆ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଟେଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି ।